ଟିକା ନ ନେଲେ ଦରମା ବନ୍ଦ…

ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ କୋଭିଡ ଟିକା ନେବେ ନାହିଁ, ସେମାନଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଗୋଟିଏ ପଟେ ଟିକା ଅଭାବରୁ ଦେଶରେ ହାହାକାର ଦେଖାଯାଇଥିବା ବେଳେ ଏପରି ସ୍ଥିଳେ ଜିଲାପାଳ ଡା. ନିଲେଶ ରାମଚନ୍ଦ୍ରଙ୍କ ଏଭଳି ନିର୍ଦ୍ଦେଶନାମା ସମସ୍ତଙ୍କୁ ଚିନ୍ତିତ କରିପକାଇଛି। କର୍ମଚାରୀଙ୍କ କହିବା କଥା, ଭାକ୍ସିନ ଉପଲବ୍ଧ ହେଲେ ତ ଟିକା ନେବୁ। ଯେଉଁମାନେ ୧୮ରୁ ୪୫ବର୍ଷର ରହିଛନ୍ତି ସେହି କର୍ମଚାରୀଙ୍କ ପାଇଁ ଭାକ୍ସିନ ସ୍ଲଟ ଖାଲି ନାହିଁ। ଯାହା ଏବେ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ସୂଚନାଯୋଗ୍ୟ, ମେ’୯ରେ ଜିଲା ବିପର୍ଯ୍ୟୟ ବିଭାଗରେ କାମ କରୁଥିବା ୪୦ବର୍ଷୀୟ ଅଫିସ୍‌ ଆସିଷ୍ଟାଣ୍ଟ ପ୍ରକାଶ କୁମାର ପାଣ୍ଡେଙ୍କ କରୋନାଜନିତ ମୃତ୍ୟୁ ହୋଇଥିଲା। ଯେତେବେଳେ ଜିଲାପାଳଙ୍କୁ ଜଣାପଡ଼ିଥିଲା ଯେ, ମୃତ ପ୍ରକାଶ କୁମାର ଟିକା ନେଇ ନ ଥିଲେ। ସେତେବେଳେ ସେ ଏକ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଟିକା ନେବେ ଓ ଯେଉଁମାନେ ଟିକା ନେବେ ନାହିଁ ସେମାନଙ୍କୁ ଦରମା ଦିଆଯିବ ନାହିଁ ବୋଲି ଜିଲାପାଳ ରାମଚନ୍ଦ୍ର କହିଥିଲେ। କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ଜିଲାପାଳ ମଧ୍ୟ ଏଭଳି ଆଦେଶ ଜାରି କରିଥିଲେ।

Share