ପାଣି ନାହିଁ: ଜମି ପଡ଼ିଆ, ମରୁଡ଼ି ଆଶଙ୍କା

ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ ପଡ଼ିଥିବା ବେଳେ ମରୁଡ଼ି ହେବା ନେଇ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି।
ଜୁନଠାରୁ ରାଜ୍ୟରେ ମୌସୁମୀ ଆସିଥିଲାବେଳେ ରଣପୁର ଅଞ୍ଚଳରେ ସେମିତି ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଛି ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଚାଷ କାର୍ଯ୍ୟ ପାଇ ମୁଖ୍ୟତଃ ଏଠାରେ ବର୍ଷା ଜଳ ଉପରେ ନିଭୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଜଳସେଚନ ପାଇ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ଚାଷୀମାନଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। ଯାହାକୁ ନେଇ ଯେଉଁ ବର୍ଷ ଭଲ ବର୍ଷା ହୋଇଥାଏ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି। ଏହା ନ ହେଲେ ମରୁଡି ହୋଇଥାଏ। ସେଥିପାଇଁ ଏହି ଅଞ୍ଚଳର ଚାଷୀମାନେ ଦିନକୁ ଦିନ ଚାଷ କାମ ପାଇ ପାଇଁ ବିମୁଖ ହେଉଥିବା ପ୍ରମାଣ ମିଳିଛି। ବର୍ଷା ହେଉ ନ ଥିବାରୁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତିର ହେବାର ସମ୍ଭାବନା ଦେଖାଦେଇଛି। ବର୍ଷା ନ ହେବାରୁ କେଉଁଠି ଚାଷ ଜମି ଫାଟି ଅଁା କରିଛି ତ କେଉଁଠାରେ ବିଲ୍‌ ପଡ଼ିଆ ପଡିଛି। ଦେଶୀ କିଶ୍ମୀରଠାରୁ ହାଇବ୍ରିଡ଼ ଧାନ ଓ ସରକାରୀ ଧାନ ଗୁଣାତ୍ମକ ଭାବେ ଅଧିକ ଅମଳ ହୋଇଥାଏ। ସେଥିପାଇଁ ଶତାଧିକ ସଂଖ୍ୟାରେ ଚାଷୀ ସମବାୟ ସମିତି ଓ କୃଷି ବିଭାଗଠାରୁ ଧାନ ବିହନ କିଣି ଆଣି ଧାନ ଚାଷ କରିଥିଲେ। ହେଲେ ଠିକ୍‌ ପରିମାଣରେ ବର୍ଷା ନ ହେବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରଣପୁର ଏନ୍‌ଏସି ଏବଂ ବ୍ଲକର ୩୭ ପଞ୍ଚାୟତରେ ୧୯,୯୨୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ଧାନ ଚାଷ ୧୭,୩୨୫ ହେକ୍ଟର ଜମିରେ ହେଉଥିବା ବେଳେ ୨୬ ହଜାର ହେକ୍ଟର ଚାଷ ଜମିରେ ଅଣ ଧାନ ଚାଷ କରାଯାଏ। ସେଥି ମଧ୍ୟରୁ ବିରି, ମୁଗ, ଆଖୁ, ପନିପରିବା ଉପାଦାନ ହୋଇଥାଏ। ଚାଷ ଦୃଷ୍ଟିରୁ ଏହି ୩୭ ପଞ୍ଚାୟତକୁ ୨ ଭାଗରେ ବିଭକ୍ତ କରାଯାଏ। ଜଳ ସେଚିତ, ଅଣ ଜଳ ସେଚିତ ଜମି ଥିଲା ବେଳେ ଚାଷ କାର୍ଯ୍ୟ କେବଳ ବର୍ଷା ପାଣି ପାଗ ଉପରେ ଚାଷୀମାନେ ନିର୍ଭର କରିଥାନ୍ତି। ୧୫% ଜମି ଜଳ ସେଚିତ ଥିଲା ବେଳେ ଅବଶିଷ୍ଟ ୮୫% ପାଖାପାଖି ହେଉଥିବା ବେଳେ କେବଳ ମୌସୁମୀ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି। ଚାଷୀଙ୍କ ସମସ୍ୟା ବହୁତ, କିନ୍ତୁ ସମାଧାନ ନାହିଁ। ସରକାର ଚାଷୀମାନଙ୍କ ପାଇଁ ଜମିରେ କରାଯାଇଥିବା ବୋରୱେଲ ଗୁଡ଼ିକ ଠିକ୍‌ ସମୟରେ କାମ ନ କରିବା, ବିଭିନ୍ନ ନଦୀ ଓ ବନ୍ଧ ଦ୍ୱାରା କରାଯାଇଥିବା ଚେକ୍‌ ଡ୍ୟାମଗୁଡ଼ିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଖରାଦିନେ ସେଥିରେ ଜଳ ରୁହେ ନାହିଁ। କେନାଲ ଖୋଲା ଯାଇଥିଲେ ମଧ୍ୟ ତାହା ଚାଷ କାମରେ ଲାଗେନାହିଁ। ଯାହା ଫଳରେ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ବାରମ୍ବାର ବାଘାତ ହୋଇଥାଏ। ଅପରପକ୍ଷେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ପର୍ବ ପାଳନ ପୂର୍ବରୁ ଚାଷୀମାନେ ଅଧିକ ଉପାଦାନ ନେଇ ଆକଳନ କରିଥାନ୍ତି। ୩ ବର୍ଷ ତଳେ ମରୁଡି ଲଗାଣ ବର୍ଷାକୁ ଚାଷୀମାନେ ଭୁଲି ନାହାନ୍ତି। ଏଣୁ ଏ ବର୍ଷ ମଧ୍ୟ ସରକାର ବା ପ୍ରଶାସନକୁ ଦୋଷ ଦେଇ ନୁହେଁ ପରନ୍ତୁ ନିଜ ଭାଗ୍ୟକୁ ନେଇ ଚାଷ କାର୍ଯ୍ୟ କରିଛନ୍ତି।