Categories: ଜାତୀୟ

ବିମାନବନ୍ଦରରେ ମିଳିଲାନି ହ୍ବିଲ୍‌ଚେୟାର: ବିମାନରୁ ଟର୍ମିନାଲ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ମୁମ୍ବାଇ,୧୬।୨: ମୁମ୍ବାଇ ବିମାନବନ୍ଦରରେ ଏକ ଦୁଃଖଦ ଘଟଣା ଘଟିଛି। ହ୍ବିଲ୍‌ଚେୟାର ନ ପାଇ ବିମାନରୁ ଟର୍ମିନାଲରେ ଅବସ୍ଥିତ ଇମିଗ୍ରେସନ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ବୃଦ୍ଧ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ପକ୍ଷରୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ହେଲେ ବୃଦ୍ଧ ଜଣକ କଥା ନ ଶୁଣି ତାଙ୍କ ସ୍ତ୍ରୀଙ୍କ ସହ ଚାଲି ଯାଇଥିଲେ। ହେଲେ ସେ ଚାଲିକି ଯାଉଥିବା ବେଳେ ତଳେ ପଡ଼ି ଗୁରୁତର ହୋଇଯାଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ହୃଦ୍‌ଘାତରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ କରିଥିବା କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଏକ ଏୟାର ଇଣ୍ଡିଆର ବିମାନ ଯୋଗେ ୮୦ ବର୍ଷ ବୟସ୍କ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କ ସହ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ। ବିମାନଟି ଅବତରଣ ପରେ ଦମ୍ପତିଙ୍କୁ ଗୋଟିଏ ହ୍ବିଲଚେୟାର ସହ ଜଣେ ମାତ୍ର ସହାୟକ ମିଳିଥିଲା। ଏପରି ସ୍ଥିତିରେ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ହ୍ବିଲ୍‌ଚେୟାରରେ ବସାଇ ବିମାନରୁ ଦେଢ଼ କି.ମି ଦୂର ଟର୍ମିନାଲରେ ଅବସ୍ଥିତ ଇମିଗ୍ରେଶନ କାଉଣ୍ଟରକୁ ଚାଲିକି ଯାଇଥିଲେ। ହେଲେ କାଉଣ୍ଟରରେ ପହଞ୍ଚିବା ପରେ ବୃଦ୍ଧ ଜଣକ ହୃଦ୍‌ଘାତର ଶିକାର ହୋଇଥିଲେ। ତୁରନ୍ତ ବୃଦ୍ଧଙ୍କୁ ନାନାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share