ଲୁଇସ୍ ଓ୍ବାଲ୍ଟର ଆଲ୍ଭାରେଜ୍ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଡ୍ରୋଜେନ୍ ବବୁଲ୍ ଚାମ୍ବରର ବିକାଶ ପାଇଁ ତାଙ୍କୁ ଏପରି ସମ୍ମାନଜନକ ପୁରସ୍କାର ମିଳିଥିଲା। ୧୯୧୧ ଜୁନ୍ ୧୩ ତାରିଖରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ପଦାର୍ଥ ବିଜ୍ଞାନ ଏବଂ ତତ୍ ସମ୍ପର୍କିତ ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ୧୯୩୬ ମସିହାରେ ଶିକାଗୋ ୟୁନିଭର୍ସିଟିରୁ ସେ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ଆମେରିକାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଏର୍ନେଷ୍ଟ ଲରେନ୍ସଙ୍କ ସହ ମିଶି ଗବେଷଣା ଆରମ୍ଭ କରିଥିଲେ। ଏହି ସମୟରେ ଲୁଇସ୍ ସାଇକ୍ଳୋଟ୍ରୋନ୍ କଣିକା ବ୍ୟବହାର କରି ଟ୍ରିଟିୟମ୍ ପ୍ରସ୍ତୁତ କରିଥିଲେ, ଯାହାକୁ ଆଧାର କରି ସେ ସାଉଁଟିଥିଲେ ଅନେକ ପ୍ରଶଂସା। କେବଳ ସେତିକି ନୁହେଁ, ସେ ନ୍ୟୁଟ୍ରନ୍ର ଚୁମ୍ବକୀୟ ତତ୍ତ୍ୱକୁ ମଧ୍ୟ ମାପିଥିଲେ।
ଲୁଇସ୍ ଏମ୍ଆଇଟି ରେଡିଏଶନ ଲାବରେଟୋରିରେ ଯୋଗ ଦେଇଥିଲେ। ଏହି ଲାବରେଟୋରିରେ ମାଇକ୍ରୋଓ୍ବେଭ୍ ଓ ରାଡାର ବିଷୟରେ ଅନୁସନ୍ଧାନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ରାଡାର ପ୍ରୋଜେକ୍ଟରେ ସେ କାମ କରିଥିଲେ। ଶତ୍ରୁମାନଙ୍କର ବୁଡ଼ାଜାହାଜ ବିଷୟରେ ଜାଣିବାକୁ ‘ଭିକ୍ସେନ୍’ ନାମକ ବାୟୁବାହୀ ମାଇକ୍ରୋଓ୍ବେଭ ରାଡାର ପ୍ରସ୍ତୁତ କରି ଚର୍ଚ୍ଚିତ ହୋଇଥିଲେ ଏହି ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ।
ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସେ ବେଶ୍ କେତୋଟି ନୂଆ ତଥ୍ୟ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ। ହେଲେ କ୍ୟାନ୍ସର ଦ୍ୱାରା ଆକ୍ରାନ୍ତ ହେବା ଫଳରେ ତାଙ୍କର ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଜୀବନଯୁଦ୍ଧରେ ହାରିଯାଇ ଥିଲେ ଲୁଇସ୍। ୧୯୮୮ ସେପ୍ଟମ୍ବର ୧ରେ ସେ ପରଲୋକ ଗମନ କରିଥିଲେ। ହେଲେ ପଦାର୍ଥ ବିଜ୍ଞାନ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ।