ନୋବେଲ ଶାନ୍ତି ପୁରସ୍କାର ବିଜେତା ଦେସମଣ୍ଡ ଟୁଟୁଙ୍କ ପରଲୋକ…

ଜୋହାନ୍ସବର୍ଗ, ୨୬।୧୨: ବର୍ଣ୍ଣବୈଷମ୍ୟ ବିରୋଧ ଏବଂ ଅଧିକାର ଲାଗି ସଂଗ୍ରାମ ଜାରି ରଖିଥିବା କେପଟାଉନର ଅବସରପ୍ରାପ୍ତ ଆଙ୍ଗଲିକାନ ଆର୍କବିଶପ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁଙ୍କର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ଟୁଟୁଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ସେ ଦକ୍ଷିଣ ଆଫ୍ରିକାରେ ଜାତିଗତ ନ୍ୟାୟ ତଥା ଲେସିବ୍ୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର (ଏଲଜିବିଟି)ଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଥିଲେ।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରବିବାର ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରାମାଫୋସା କହିଛନ୍ତି ଯେ ଟୁଟୁ ଜଣେ ଜଣାଶୁଣା ଆଧ୍ୟାତ୍ମିକ ନେତା, ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଜଣେ କାର୍ଯ୍ୟକର୍ତ୍ତା ଥିଲେ। ସାରା ବିଶ୍ୱରେ ମାନବିକ ଅଧିକାରର ସେ ଜଣେ ବଡ଼ ସମର୍ଥକ ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ରାମାଫୋସା ଟୁଟୁଙ୍କୁ ଜଣେ ଦେଶପ୍ରେମୀ ବୋଲି କହିଛନ୍ତି।

ଡେସମଣ୍ଡ ଟୁଟୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଡେସମଣ୍ଡ ଟୁଟୁ ସାରା ବିଶ୍ୱରେ ଅସଂଖ୍ୟ ଲୋକଙ୍କୁ ରାସ୍ତା ଦେଖାଉଥିଲେ। ମାନବିକ ସମ୍ମାନ ଏବଂ ସମାନତା ଉପରେ ତାଙ୍କର ଗୁରୁତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନୋବେଲ ପୁରସ୍କାର ପାଇଥିବା ଟୁଟୁ ଜାତିଗତ ସମାନତା ପାଇଁ ସତ୍ୟ କହିବାରେ କେବେ ହେଲେ ଦ୍ୱିଧା କରୁନଥିଲେ। କେବଳ ଦକ୍ଷିଣ ଆଫ୍ରିକାରେ ନୁହେଁ ସମଗ୍ର ବିଶ୍ୱରେ ଟୁଟୁ ତାଙ୍କର କାର୍ଯ୍ୟ ପାଇଁ ବେଶ୍‌ ଲୋକପ୍ରିୟ ଥିଲେ।

Share