ରୁଷିଆ ସହ ଲଢ଼ି ଶକ୍ତିର ପ୍ରମାଣ ଦେଇଛୁ: ଜେଲେନ୍‌ସ୍କି

କ୍ୱିଭ୍‌, ୧ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ସୋମବାର ଉଭୟ ପକ୍ଷ ମଧ୍ୟରେ ବେଲାରୁଷ ସୀମାରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା ନିମନ୍ତେ ବୈଠକ ବସିଥିଲେ ବି ସେଥିରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ରୁଷିଆର ଦାବିକୁ ଗ୍ରହଣ ନ କରି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର ଲାଇଭ୍‌ ଭିଡିଓ କନ୍‌ଫରେନ୍ସ ଜରିଆରେ ୟୁରୋପୀୟ ପାର୍ଲାମେଣ୍ଟରେ ସମ୍ବୋଧନ କରିଛନ୍ତି। ୟୁରୋପୀୟ ସଂଘ (ଇୟୁ) ୟୁକ୍ରେନ୍‌ ସହ ଛିଡ଼ା ହୋଇଛି ବୋଲି ପ୍ରମାଣ ଦେବାକୁ ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି। ଇୟୁ ବିନା ୟୁକ୍ରେନ୍‌ ଏକୁଟିଆ ପଡ଼ିଯିବ। ରୁଷିଆ ସହ ଲଢ଼ି ୟୁକ୍ରେନ୍‌ ନିଜ ଶକ୍ତିର ପ୍ରମାଣ ଦେଇଛି। ଆମ ମନୋବଳ କେହି ଭାଙ୍ଗି ପାରିବେ ନାହିଁ। ଦେଶର ସାର୍ବଭୌମତ୍ୱ ଏବଂ ଲୋକଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ। ତେଣୁ ଇୟୁ ୟୁକ୍ରେନ୍‌କୁ ଏକୁଟିଆ ନ ଛାଡ଼ିବାର ପ୍ରତିଶ୍ରୁତି ଦେଉ ବୋଲି ଜେଲନ୍‌ସ୍କି ଭାବବିହ୍ବଳ ହୋଇ ତାଙ୍କ ସମ୍ବୋଧନରେ କହିଛନ୍ତି। ଜେଲେନ୍‌ସ୍କିଙ୍କ ଏହି ସମ୍ବୋଧନ ବେଳେ ଇୟୁ ପାର୍ଲାମେଣ୍ଟରେ ସମସ୍ତ ସଦସ୍ୟ ଛିଡ଼ା ହୋଇ ସମ୍ମାନ ଦେଇଥିଲେ।

Share