ନୂଆଦିଲ୍ଲୀ, ୭।୯ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ନେଇ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ପାଇଁ ଦିଲ୍ଲୀ ଗସ୍ତରେ ଆସି ବହୁ ବିରୋଧୀଦଳର ନେତାଙ୍କୁ ଭେଟିବା ପରେ କହିଥିଲେ, ଭାଜପାର ଶକ୍ତି ୫୦ ଟି ଆସନକୁ ହ୍ରାସ ପାଇବ। ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ନୀତୀଶ କୁମାରଙ୍କ ବିବୃତ୍ତି ଉପରେ ରବି ଶଙ୍କର ପ୍ରସାଦ ଉତ୍ତର ଦେଇ କହିଛନ୍ତି, ଏଠି ଦିନରେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ।
ମହାମେଣ୍ଟ ସରକାର ବିହାରରେ ଆସିବା ପରେ ଅପରାଧ ସଂଖ୍ୟା ବୃଦ୍ଧି ହେଉଥିବା ପ୍ରଶ୍ନ ଉପରେ ରବି ଶଙ୍କର ପ୍ରସାଦ କହିଛନ୍ତି ବିହାରରେ ଭୟର ଶାସନ ପୁଣି ଫେରିଛି। ଅପରାଧୀମାନେ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି ଯେ ଆମେ ଯାହା ବି କରୁଛୁ ପୋଲିସ ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। କଂଗ୍ରେସ ଦଳର ଭାରତ ଯୋଡ ଯାତ୍ରା ବିଷୟରେ ସେ କହିଛନ୍ତି ଯେ ରବର୍ଟ ଭଦ୍ରା ମଧ୍ୟ ଏହି ଯାତ୍ରା ସହିତ ଜଡିତ। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ରାହୁଲ ଗାନ୍ଧୀ ତାଙ୍କ ପାର୍ଟିକୁ ଯୋଡିବାକୁ ଅକ୍ଷମ। ସେ ଭାରତ ଯୋଡିବେ କିପରି ବୋଲି ରବି ଶଙ୍କର ପ୍ରଶ୍ନ କରିଛନ୍ତି।