ଏଲଭିଶ ଯାଦବଙ୍କ ନାଁରେ ରୁଜୁ ହେଲା ମାମଲା: ରେଭ୍ ପାର୍ଟିରୁ ୫ ଜଣ ଗିରଫ, ସାପ ବିଷ ଏବଂ ବିଦେଶୀ ମହିଳା ଚାଲାଣ ଅଭିଯୋଗ

ନୂଆଦିଲ୍ଲୀ,୩/୧୧: ନିକଟରେ ବିଗ୍ ବସ୍ ଓଟିଟି ବିଜୟୀ ହୋଇଥିବା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ନୋଏଡା ସେକ୍ଟର ୪୯ ରେ ଏଲବିଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ରେଭ୍ ପାର୍ଟିରୁ ଗିରଫ ହୋଇଥିବା ୫ ଜଣ ସାପୁଆ ଏଲବିଶ ଯାଦବଙ୍କୁ ସାପ ବିଷ ସପ୍ଲାଇ କରୁଥିବା କହିବା ପରେ ଏହି ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ପାଖରୁ କିଛି ବିଷ ମଧ୍ୟ ଜବତ ହୋଇଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। କୁହାଯାଉଛି କି ମେନକା ଗାନ୍ଧୀ ଚଳାଉଥିବା ଏନଜିଓ ସଂସ୍ଥା ଏକ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଅଭିଯୋଗ କରିଥିଲା। ଯାହା ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଏଥି ସହିତ, ସାପ ବିଷ ଯୋଗାଇବା ତଥା ବିଦେଶୀ ଯୁବତୀ ମାନଙ୍କୁ ରେଭ୍ ପାର୍ଟିକୁ ଆଣିବା ଅଭିଯୋଗରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ, ସେମାନେ କହିଥିଲେ ଯେ ୟୁଟ୍ୟୁବର୍ ଏଲଭିଶ ଯାଦବ ଏହି ଗ୍ୟାଙ୍ଗ ସହ ଜଡିତ ଅଛନ୍ତି। ଏହି ଗ୍ୟାଙ୍ଗ ନିକଟରୁ ୯ ଟି ସାପ ଏବଂ ସାପ ବିଷ ମିଳିଥିଲା। ସେଥିମଧ୍ୟରୁ ୫ ଟି କୋବ୍ରା ଏବଂ ବାକିଗୁଡିକ ବିଭିନ୍ନ ପ୍ରଜାତିର। ପୋଲିସ କହିଛି ଯେ ଆମେ ଏ ବାବଦରେ ଏକ ମାମଲା ରୁଜୁ କରିଛୁ ଯେଉଁଥିରେ ଏଲଭିଶ ଯାଦବଙ୍କ ନାମ ସାମିଲ ଅଛି। ତେବେ ତାଙ୍କୁ ଏପର‌୍ୟ୍ୟନ୍ତ ଗିରଫ କରାଯାଇ ନାହିଁ। ସମସ୍ତ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

Share