Categories: ଜାତୀୟ

ପୁଅ ଅପେକ୍ଷାରେ ଥିଲେ ପରିବାର ଲୋକେ, ପୋଲିସ କଲା ଏମିତି କାମ

ନୂଆଦିଲ୍ଲୀ,୭।୯: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ପୋଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଖୋଜ ହୋଇଯାଇଥିଲେ, ପୋଲିସ ଏକ ସନ୍ଦିଗ୍ଧ ମୃତଦେହ ପାଇ ତଦନ୍ତ ନ କରି ଶବଦାହ କରିଦେଇଛି। ନୋଏଡା ପୋଲିସ ଷ୍ଟେସନ ୩୯ରେ, ୨୦ ବର୍ଷୀୟ ବିଶାଲ ଯାଦବ ଅଗଷ୍ଟ ୧୭ରେ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ସଦସ୍ୟ ଅଗଷ୍ଟ ୧୯ରେ ଥାନାରେ ଏନେଇ ରିପୋର୍ଟ କରିଥିଲେ। ଘର ଲୋକେ ଆଶା କରିଥିଲେ ଯେ, ନୋଏଡା ପୋଲିସ ନିଖୋଜ ଥିବା ବିଶାଲକୁ ଖୋଜିବ। କିନ୍ତୁ ଅଗଷ୍ଟ ୧୮ରେ, ବିସରଖ ଅଞ୍ଚଳର ଏନଏଚ୍‌-୨୪ ରାଜପଥ ନିକଟରେ ଏକ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିଲା। ପୋଲିସ ବିନା ଅନୁସନ୍ଧାନରେ ୭୨ ଘଣ୍ଟା ପରେ ମୃତଦେହ ବ୍ୟବଚ୍ଛେଦ କରି ଶବଦାହ କରିଥିଲା। ରବିବାର ଦିନ ନିଖୋଜ ସମ୍ପର୍କୀୟମାନେ ପୋଲିସ ଷ୍ଟେଶନରେ ପହଞ୍ଚିବାରୁ ପୋଲିସ ହ୍ବାଟ୍‌ସଆପ ଗ୍ରୁପରେ ଶବଦାହ କରାଯାଇଥିବା ମୃତଦେହର ଫଟୋ ଦେଖାଇବା ପରେ ତାହା ବିଶାଲ ଯାଦବ ବୋଲି ପରିବାର ଲୋକେ କହିଥିଲେ। ଏହା ଜାଣିବା ପରେ ପରିବାର ଲୋକଙ୍କ ଗୋଡ ତଳୁ ମାଟି ଖସିପଡିଥିଲା। ରବିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଶାଲଙ୍କ ପରିବାର ଲୋକେ ପୋଲିସ ଷ୍ଟେସନକୁ ଘେରି ରହିଥିଲେ। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସେକ୍ଟର ୪୫ ସଦରପୁରରେ ଜେସିବି ଚଳାଉଥିବା ପୁଅ ବିଶାଲ ଅଗଷ୍ଟ ୧୭ରୁ ନିଖୋଜ ହୋଇଯାଇଥିଲେ। ନୋଏଡା ପୋଲିସ ବିନା ଜଣାଇ ବିଶାଲଙ୍କ ଶେଷ ରୀତିନୀତି ଶେଷ କରିଥବବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Share