Categories: ଜାତୀୟ

ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ

ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ ଚାରି ଚକିଆ ଗାଡ଼ିଠୁ ଆରମ୍ଭ କରି ବିବାହ ପେଣ୍ଡାଲ ସବୁ ଛାରଖାର କରିଦେଇଥିଲା ପ୍ରୋସେଶନରେ ଆସିଥିବା ହାତୀ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରୟାଗରାଜର ଆଲାମ୍ପୁର ଗ୍ରାମରେ ବିବାହ ଉତ୍ସବରେ। ଏହାକୁ ସ୍ପଷ୍ଟ କରିଛନ୍ତି ସାରାଇ ଇନାୟତ ଥାନା ଏସ୍‌ଏଚ୍‌ଓ ରାକେଶ ଚୌରାସିଆ।

ବିବାହ ଉତ୍ସବରେ ହାତୀକୁ ଅଣାଯାଇଥିଲା। ବର ଓ ଅତିଥିଙ୍କୁ ସ୍ବାଗତ କରିବା ପାଇଁ କନ୍ୟା ଘର ତରଫରୁ ବାଣ ଫୁଟା ଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିଲା ହାତୀ। ଏଥି ଯୋଗୁ କୌଣସି ମୃତାହତ ହୋଇ ନ ଥିଲେ ମଧ୍ୟ ୨ଟି କାର, କିଛି ବାଇକ୍‌ ଓ ବିବାହ ପାଇଁ ସଜାଯାଇଥିବା ପେଣ୍ଡାଲ ନଷ୍ଟ ହୋଇଯାଇଥିଲା। ହାତୀର ଆଚରଣ ଦେଖି ବର ଓ ଅତିଥିମାନେ ଜୀବନ ବଞ୍ଚାଇବାକୁ ଏଣେତେଣ ଦୌଡ଼ିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି। ବହୁ କଷ୍ଟରେ ମାହୁତ ହାତୀକୁ ନିୟନ୍ତ୍ରଣକୁ ଆଣିଥିଲେ। ଏ ଘଟଣା ପରେ ଫରେଷ୍ଟ ରେଞ୍ଜର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ଏହି ଘଟଣାରେ ମାହୁତର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ମିଛ ପ୍ରଚାର କରାଯାଉଥିବା ଏସ୍‌ଏଚ୍‌ଓ ଚୌରସିଆ କହିଛନ୍ତି।

Share