କର୍ଲାମୁଣ୍ଡା:୨୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତିର ସଭାପତି ପଦବୀ ପାଇଁ ମଙ୍ଗଳବାର ଜଣେ ମାତ୍ର ମହିଳା ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଥିବା ଥିବା ଜଣାପଡ଼ିଛି। ତେବେ ସମବାୟ ପ୍ରାଥମିକ କୃଷି ସମିତି ୧୫ଜଣ ନିର୍ଦ୍ଦେଶକ/ନିର୍ଦ୍ଦେଶିକାଙ୍କ ମଧ୍ୟରୁ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ସତ୍ୟମ ରଣା, ରଥ ରଣା, ଭରତଚନ୍ଦ୍ର ବେହେରା, କ୍ଷମରାଜ ସାହୁ, ଆନନ୍ଦ ସାହୁ, କବିରାଜ ସାହୁ, ଶୁକ୍ରୁ ରଣା, ରାଜୀବ ସାହୁ, ଟିକ ବାଗ ପ୍ରମୁଖଙ୍କ ସମର୍ଥନରେ କର୍ଲାମୁଣ୍ଡା ବସ୍ତିର ନିର୍ଦ୍ଦେଶିକା ଇନ୍ଦୁମତୀ ଭୋଇ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ କରିବା ଗୋଟିଏ ପ୍ରକାର ନିଶ୍ଚିତ ହୋଇଥିବା ସୂଚନା ମିଳିଛି।
ନିର୍ଦ୍ଧାରିତ ଅପରାହ୍ନ ୧ ଘଟିକା ସୁଦ୍ଧା ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରି ନ ଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସମବାୟ ସମିତି ସଭାପତି ଗୋବର୍ଦ୍ଧନ ଭୋଇଙ୍କ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା। ଏହି ଅବସରରେ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ନିର୍ବାଚନ ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୧୬।୮।୨୦୨୩ ଅନୁସାରେ ନିର୍ବାଚନ ଅଧିକାରୀ ଭାବେ ସୁଶୀଲ ସାହୁ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିଥିବା ବେଳେ ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ, ଡିଇଓ ଅଚିନ ଅନୁଭବ ଷଡଙ୍ଗୀ, ଯୁବନେତା ନନ୍ଦି କିଶୋର ଭୋଇ, ଚାଷୀ ନେତା ସ୍ବାଗତ ଭୋଇ, ସୁବାସ ଚନ୍ଦ୍ର ଭୋଇ, ଅର୍ଜୁନ ସାହୁ, ରାତ୍ର ସାହୁ, ଜଳନ୍ଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।