ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ ମିଳିବ। ପୂର୍ବରୁ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଗାଡ଼ି ମାଲିକଙ୍କ ଓନରଶିପ୍‌ ଟ୍ରାନ୍ସଫର ଲାଗି ପରିବାର ସଦସ୍ୟଙ୍କୁ ହଇରାଣ ହେବାକୁ ପଡୁଥିଲା। ମାତ୍ର ଏବେ ଗାଡ଼ି ମାଲିକ ନୋମିନି ରଖିବେ। ଫଳରେ ଆକସ୍ମିକ ମୃତ୍ୟୁ କ୍ଷେତ୍ରରେ ଓନରଶିପ୍‌ ଟ୍ରାନ୍ସଫରରେ ଆଉ କୌଣସି ଅସୁବିଧା ହେବାର ଆଶଙ୍କା ରହିବ ନାହିଁ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚଳିତ ୧୯୮୯ର କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରାଯାଇଛି। ଏହା ଅନୁସାରେ ଏଣିକି ବାଇକ୍‌ କିମ୍ବା କାର୍‌ ଚାଳକ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟରେ ନୋମିନି ରଖିପାରିବେ। ମାଲିକଙ୍କ ମୃତ୍ୟୁ ପରେ ଗାଡ଼ିର ଓନରଶିପ୍‌ ଟ୍ରାନ୍ସଫର ନୋମିନିଙ୍କ ନାମରେ ହୋଇଯିବ। ତେବେ ନୋମିନିଙ୍କୁ ନିଜର ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଗାଡ଼ି ମାଲିକଙ୍କ ମୃତ୍ୟୁ ହେବାର ୩୦ ଦିନ ମଧ୍ୟରେ ଆରଟିଓ କାର୍ଯ୍ୟାଳୟରେ ଏସମ୍ପର୍କିତ ସୂଚନା ଦାଖଲ କରିବାକୁ ପଡ଼ିବ। ଫଳରେ ୩ ମାସ ପାଇଁ ନୋମିନିଙ୍କ ନାମକୁ ଓନରଶିପ୍‌ ଟ୍ରାନ୍ସଫର ହୋଇଯିବ। ୩ ମାସ ମଧ୍ୟରେ ନୋମିନିଙ୍କୁ ଫର୍ମ ୩୧ ଦାଖଲ କରିବାକୁ ପଡ଼ିବ। ମାତ୍ର ଗାଡ଼ିର ଇଏମ୍‌ଆଇ ପୂରଣ ନ ହୋଇଥିବା କ୍ଷେତ୍ରରେ ଅବଶିଷ୍ଟ ବକେୟା ନୋମିନିଙ୍କୁ ଏକକାଳୀନ ଅବା କିସ୍ତିରେ ଦେବାକୁ ପଡ଼ିବ ତାହା ସମ୍ପୃକ୍ତ ବ୍ୟାଙ୍କ ନିର୍ଣ୍ଣୟ କରିବେ।

Share