ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକ ସଭା ନିର୍ବାଚନମଣ୍ଡଳୀ ପାଇଁ ୫୫ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩୩୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବା ସହିତ ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଛି। ଏହି ପର୍ଯ୍ୟାୟ ପାଇଁ ମେ’ ୧୩ ତାରିଖରେ ଭୋଟଗ୍ରହଣ କରାଯିବ। ଜୁନ୍‌ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ୪ଟି ସଂସଦୀୟ କ୍ଷେତ୍ରରେ ମୋଟ ୬୨ ଲକ୍ଷ ୮୪ ହଜାର ୬୪୯ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୧ ଲକ୍ଷ ୮୭ ହଜାର ୭୭୧ ଜଣ ମହିଳା ମତଦାତା ଥିବାବେଳେ ୩୦ ଲକ୍ଷ ୯୬ ହଜାର ୨୪୩ ଜଣ ପୁରୁଷ ମତଦାତା ରହିଛନ୍ତି। ଉକ୍ତ ସଂସଦୀୟ ନିର୍ବାଚନମଣ୍ଡଳୀରେ ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ରହିଛି।

Share