Categories: ଜାତୀୟ

ରାଜ୍‌ ଠାକ୍‌ରେଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ମୁମ୍ବାଇ,୪ା୫: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଏକ ୧୪ ବର୍ଷର ପୁରୁଣା ମାମଲାରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ସାଙ୍ଗଲି ଜିଲାର ଏକ କୋର୍ଟ ତାଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ରାଜଙ୍କ ବିରୋଧରେ ଆଇପିସିର ଦଫା ୧୦୯ ଓ ୧୧୭ ବଳରେ ମାମଲା ରୁଜୁ ହୋଇଥିଲା। ସେହିପରି ଔରଙ୍ଗାବାଦରେ ରବିବାର ଅନୁଷ୍ଠିତ ରାଲିରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଲିର ଆୟୋଜନ କରିଥିବା ୩ ଜଣଙ୍କ ନାଁ ମଧ୍ୟ ଏତଲାରେ ରହିଛି। ମୁମ୍ବାଇରେ ଥିବା ମସ୍‌ଜିଦଗୁଡ଼ିକରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଗତ ମାସରେ ରାଜ୍‌ ଠାକ୍‌ରେ ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଆହ୍ବାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ମେ’ ୩ ସୁଦ୍ଧା ଡାକବାଜି ଯନ୍ତ୍ର ନ ହଟିଲେ ମସ୍‌ଜିଦ ବାହାରେ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ତାଙ୍କ କର୍ମୀମାନେ ଆଜାନକୁ ବିରୋଧ କରି ହନୁମାନ ଚାଳିଶା ଗାନ କରିବେ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। ଗତ ରବିବାର ସେ ଔରଙ୍ଗାବାଦ ରାଲିରେ ପୁଣି ଥରେ ଉକ୍ତ ଚେତାବନୀର ପୁନରାବୃତ୍ତି କରିଥିଲେ। ୩ ତାରିଖ ଇଦ୍‌ ହୋଇଥିବାରୁ ୪ ସୁଦ୍ଧା ଡାକବାଜି ଯନ୍ତ୍ର ହଟା ନ ଗଲେ ମସ୍‌ଜିଦ ଆଗରେ ଦୁଇଗୁଣା ଶବ୍ଦରେ ହନୁମାନ ଚାଳିଶା ଗାନ କରାଯିବ ବୋଲି କହିଥିଲେ।

Share