ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ମୁରାଦାବାଦ୍‌, ୫।୩ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ମୋରାଦାବାଦ୍‌ର ଏସିଜେଏମ୍‌-୪ କୋର୍ଟଙ୍କ ପକ୍ଷରୁ ଏହି ୱାରେଣ୍ଟ ଜାରି କରାଯାଇଛି। କ୍ରମାଗତ ଭାବରେ କୋର୍ଟରେ ହାଜର ନହେବା କାରଣରୁ ୱାରେଣ୍ଟ ଜାରି କରାଯାଇଥିବା କୁହାଯାଇଛି।

ମୋରାଦାବାଦ୍‌ର ପ୍ରମୋଦ ଶର୍ମା ୨୦୧୮ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ କଟଘର ପୋଲିସ ଷ୍ଟେଶନରେ ୩୬ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ନେଇ ମାମଲା ଦାୟର କରିଥିଲେ। ସୋନାକ୍ଷୀ ସିହ୍ନାଙ୍କୁ ଗିରଫ କରି ଏପ୍ରିଲ ୨୪ ରେ କୋର୍ଟରେ ହାଜର କରିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଏପ୍ରିଲରେ ହେବ।

ପ୍ରମୋଦ ଶର୍ମା ଅଭିଯୋଗ କରିଛନ୍ତି ଯେ ଚୁକ୍ତିନାମା କରିବା ପରେ ମଧ୍ୟ ସୋନାକ୍ଷୀ ସିହ୍ନା ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିନାହାଁନ୍ତି, ଯଦିଓ ତାଙ୍କ ବିମାନ ଟିକେଟ ପାଇଁ ଦେୟ ପ୍ରଦାନ କରାଯାଇଛି।

ମୋରାଦାବାଦ୍‌ର କଟଘର ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ପ୍ରମୋଦ ଶର୍ମା, ଟ୍ୟାଲେଣ୍ଟ ଫୁଲଓନ ଏବଂ ଏକ୍ସିଡ ଏଣ୍ଟ୍ରଟେନ୍‌ମେଣ୍ଟ୍‌ କମ୍ପାନୀ ମାଧ୍ୟମରେ ଇଣ୍ଡିଆ ଫ୍ୟାଶନ ଏବଂ ବିୟୁଟି ପୁରସ୍କାର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମ ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀର ଶ୍ରୀ ଫୋର୍ଡ ଅଡିଟୋରିୟମରେ ଅନୁଷ୍ଠିତ ହେବାର ଥିଲା।

ସୋନାକ୍ଷୀ ସିହ୍ନା ଏଥିପାଇଁ ସୋସିଆଲ ମିଡିଆରେ ଏକ ପ୍ରମୋଶନ ଭିଡିଓ ମଧ୍ୟ ଜାରି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ୨୯ଲକ୍ଷ ୯୨ହଜାର ଟଙ୍କା ତାଙ୍କୁ ଦିଆଯାଇଥିଲା। ୨୦୧୯ ରେ ପ୍ରମୋଦ ଶର୍ମା ଏ ବିଷୟରେ ଅଭିଯୋଗ କରିଥିଲେ, କିନ୍ତୁ ଅଭିଯୋଗର ପଞ୍ଜିକରଣ ନହେବାରୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଏକ ମାମଲା କଟଘର ଥାନାରେ ରୁଜୁ ହୋଇଥିଲା ।

ମାମଲା ପଞ୍ଜିକରଣ ପରେ ସୋନାକ୍ଷୀ ସିହ୍ନା ଅଗଷ୍ଟ ୧୪ ରେ ମୋରାଦାବାଦକୁ ଆସି ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଏକ ହୋଟେଲରେ ଦୁଇ ଘଣ୍ଟା ରହିବା ପରେ ସେ ତାଙ୍କ ବୟାନ ରେକର୍ଡ କରିବା ପରେ ଚାଲିଯାଇଥିଲେ। ପ୍ରମୋଦ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଦୁଇଥର ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଧାରା ୪୨୦, ୪୦୬ ଅନ୍ତର୍ଗତ ସାନାକ୍ଷୀ ସିହ୍ନାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା।

Share