Categories: ଜାତୀୟ

ମୁମ୍ବାଇରେ ହେବ ଅଣଭାଜପା ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ମୁମ୍ବାଇ,୧୮।୪ : ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଖୁବ୍‌ଶୀଘ୍ର ମୁମ୍ବାଇରେ ଅଣଭାଜପା ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର ଏହି ସୂଚନା ଦେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଥିଲେ। ମୁମ୍ବାଇରେ ଏହି ସମ୍ମିଳନୀ ଆୟୋଜନ ପାଇଁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଲୋଚନା କରିଥିବା ରାଉତ୍‌ କହିଛନ୍ତି। ବେରୋଜଗାରି, ମୁଦ୍ରାସ୍ଫୀତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଏବଂ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି ଉଦ୍ୟମ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
ଦେଶର ବିଭିନ୍ନ ସ୍ଥାନରେ ଘଟିଯାଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଶନିବାର ୧୩ ବିରୋଧୀ ଦଳର ନେତାମାନେ ଗଭୀର ଉଦ୍‌ବେଗ ପ୍ରକାଶ କରି ଏକ ମିିଳିତ ବିବୃତି ଜାରି କରିଥିଲେ। ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ଲାଗି ସେମାନେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଖାଦ୍ୟ, ବସ୍ତ୍ର, ବିଶ୍ୱାସ, ଉତ୍ସବ ଓ ଭାଷାକୁ ନେଇ ଯେଭଳି ବିବାଦ ସୃଷ୍ଟି କରାଯାଉଛି ତାହା ଚିନ୍ତାଜନକ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରମୁଖ ମିଳିତ ବିବୃତିରେ କହିଥିଲେ। ଶାସକ ଦଳ ସମାଜରେ ଧ୍ରୁବୀକରଣ ପାଇଁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଥିଲେ। ସାମ୍ପ୍ରଦାୟିକ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ସେମାନଙ୍କୁ ବ୍ୟଥିତ କରିଥିବା ବିପକ୍ଷ ନେତାମାନେ କହିଥିଲେ। ରାମ ନବମୀ ଓ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଆକ୍ରମଣ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଭୋଟରଙ୍କୁ ଭାଗ ଭାଗ କରିବା ଲାଗି ରାଜନୈତିକ ପ୍ରାୟୋଜିତ ବୋଲି ରାଉତ ଅଭିଯୋଗ କରିଛନ୍ତି। ମସ୍‌ଜିଦଗୁଡ଼ିକରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଥିବା ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକ୍‌ରେଙ୍କୁ ଶିବସେନା ନେତା ହିନ୍ଦୁ ଓଓ୍ବାଇସି କହିଛନ୍ତି।

 

Share