ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା କନ୍ୟାକୁମାରୀ ପାଖରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଡିସେମ୍ବର ୪ରେ ଏହା ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି। ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବା ପୂର୍ବରୁ ଏହୀ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୩ ସକାଳଠାରୁ ତାମିଲନାଡୁ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ‘ବୁରେଭି’କୁ ଦୃଷ୍ଟିରେ ରଖି ଥିରୁଭାନନ୍ତପୁରମ୍ ଜିଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଝଡ଼ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନ୍ଡିଆର୍ଏଫ୍ ଦଳଙ୍କୁ ସଜାଗ ରଖାଯାଇଛି।