ଫସଲ ବୀମାରୁ ବଞ୍ଚିତ ଅଣଋଣୀ ଚାଷୀ

କେନ୍ଦ୍ରାପଡ଼ା,୧୦ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ବର୍ଷା ଓ ବନ୍ୟା ସମୟରେ କ୍ଷେତରୁ ଜଳ ନିଷ୍କାସନ ନ ହେବାରୁ ଫସଲ ନଷ୍ଟ ହେଉଛି। ସେହିପରି ଜଳସେଚନ କ୍ଷେତ ଜମି ଅତି ନଗଣ୍ୟ ଥିବାରୁ ଅଧିକାଂଶ ଚାଷ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହାବ୍ୟତୀତ ସାମୁଦ୍ରିକ ଝଡ଼ ଏହି ଜିଲାକୁ ସର୍ବଦା ଲାଗି ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବେଶ ସହାୟକ। ତେବେ କେନ୍ଦ୍ରାପଡ଼ା ଜିଲାରେ ଅଣଋଣୀ ଚାଷୀଙ୍କୁ ଏଥିରେ ସାମିଲ କରି ବୀମା ଅର୍ଥ ଯୋଗାଇ ଦେବାରୁ ପ୍ରଶାସନ ବିଫଳ ହୋଇଛି। ଜିଲା କୃଷି ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ଖରିଫ ଧାନ ଫସଲ ପାଇଁ ମୋଟ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ଏଥିରେ ସାମିଲ ହେଉଥିଲେ ମଧ୍ୟ ବିଭିନ୍ନ କୃଷି ସମବାୟ ସମିତି ମାଧ୍ୟମରେ ପ୍ରାୟ ୧ଲକ୍ଷ ୨୦ ହଜାର କୃଷକ ଫସଲ ବୀମାରେ ସାମିଲ ହୋଇଛନ୍ତି। ସେହିପରି ପ୍ରାୟ ୪ ହଜାର ଅଣଋଣୀ ଚାଷୀ ଫସଲକୁ ବୀମାଭୁକ୍ତ କରିଛନ୍ତି। ଯାହା ଫସଲ ବୀମା କ୍ଷେତ୍ରରେ ଥିବା ଅସମାନତାକୁ ଦର୍ଶାଉଛି।
କୃଷକନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର କୃଷିକ୍ଷେତ୍ରକୁ ଅନୁଧ୍ୟାନ କଲେ ୪ଟି ବୃହତ ସମସ୍ୟା ଚାଷୀଙ୍କୁ ସର୍ବଦା ଆତଙ୍କିତ କରୁଛି। ଜିଲାରେ ୩୪,୯୫୨ ହେକ୍ଟର କ୍ଷେତ ଜମି ବନ୍ୟା ପ୍ଳାବିତ ଅଞ୍ଚଳରେ ଅଛି। ସେହିପରି ୩୨,୩୫୦ ହେକ୍ଟର କ୍ଷେତ ଲୁଣାଞ୍ଚଳ ହୋଇଥିବା ବେଳେ ମରୁଡ଼ିପ୍ରବଣ ୮୪,୯୧୦ ହେକ୍ଟର ଓ ଜଳ ନିଷ୍କାସନ ସମସ୍ୟା ୧୫,୮୫୦ ହେକ୍ଟର ଚାଷ କ୍ଷେତରେ ଅଛି। ଏହାବ୍ୟତୀତ ସାମୁଦ୍ରିକ ଜୁଆର, ବାତ୍ୟା ଦ୍ୱାରା ଖରିଫ ଓ ରବି ଫସଲ ନଷ୍ଟ ହେଉଛି। ୨୦୧୧ ଜନଗଣନା ତଥ୍ୟ ଆଧାରରେ ସେ କହିଥିଲେ, ଜିଲାରେ ମୋଟ ଚାଷୀଙ୍କ ମଧ୍ୟରୁ ୧,୨୦,୩୦୯ ନାମମାତ୍ର ଓ ୩୦,୮୪୧ କ୍ଷୁଦ୍ର ଚାଷୀଙ୍କ ସହ ୧,୪୩,୮୬୪ କୃଷି ଶ୍ରମିକ ଅଛନ୍ତି। ଆର୍ଥିକ ଦୁରବସ୍ଥା ଯୋଗୁ ବହୁ ଚାଷୀ ବ୍ୟାଙ୍କ ଋଣ ନ ପାଇ ହାତ ଉଧାରି ଆଣି ଫସଲ କରିଥାନ୍ତି। ଏହିମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ବୀମାରେ ସାମିଲ ହୋଇ ନ ଥିବାରୁ କ୍ଷତିପୂରଣ ମିଳିବାରୁ ବଞ୍ଚତ୍ତ ହେଉଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, ବୀମା କମ୍ପାନୀର ଅବହେଳା ଓ ଜନସଚେତନତାର ଅଭାବ ଏହି ସୁଦୂରପ୍ରସାରୀ ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ ସୃଷ୍ଟି କରୁଛି। ବୀମା ହୋଇଥିଲେ ଫସଲହାନିରେ କ୍ଷତିପୂରଣ ମିଳିପାରିବ। ତେବେ ଭାଗଚାଷୀ ଓ କେତେଜଣ ସ୍ବାଭିମାନୀ ଚାଷୀ ଋଣ କରି ନ ଥିବାରୁ ଏହାର ସୁଫଳ ପାଇ ପାରୁନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ମିଳୁ ନ ଥିବାରୁ ଯୁବବର୍ଗ କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ୩ ବର୍ଷ ହେବ କେନାଲରେ ଜଳ ପରିଚାଳନା ଉପଯୁକ୍ତ ସମୟରେ ହେଉ ନ ଥିବା ଯୋଗୁ ଫସଲହାନି ହେଉଛି। ଫସଲ ବୀମା ହୋଇଥିଲେ ଚାଷ ଜନିତ କ୍ଷତି ଏତେ ବାଧି ନ ଥାନ୍ତା। ଫସଲ ଆମଦାନୀ ହେଉ ନ ଥିବାରୁ ଚଳିତବର୍ଷ ୧୩ ଏକରରୁ ୫ ଏକର ଜମିରେ ଚାଷ ବନ୍ଦ କରିଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ରଙ୍କୁ ପଚାରିବାରେ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଲା। ଏ ନେଇ ଚିଠି ମିଳିବା ପରେ ଜିଲାର ବହୁ ସ୍ଥାନରେ ବୈଠକ ସହ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତି ପଞ୍ଚାୟତରେ ଏହି ବୀମା ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବା ପାଇଁ ବିଭାଗୀୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଣଋଣୀ ଚାଷୀଙ୍କ ନିକଟରେ ଏ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବା ପାଇଁ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।