କାର୍ଯ୍ୟକ୍ଷମ ହେଉନି ଆଦିବାସୀ ଛାତ୍ରୀନିବାସ

ଝାରସୁଗୁଡ଼ା ଅଫିସ,୧୨ା୯: ଝାରସୁଗୁଡା ଜିଲା କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ୮ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରୀନିବାସ ନିର୍ମାଣ ହୋଇଛି। ୨୦୦୧ ମେ ୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ହେମାନନ୍ଦ ବିଶ୍ୱାଳ ଏହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ୨୧ବର୍ଷ ବିତିଯାଇଥିବାବେଳେ ଏହା କାର୍ଯ୍ୟକ୍ଷମ ହେଇପାରିନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ହଷ୍ଟେଲ ଗୃହର ଚଟାଣ, ଛାତ ଓ କାନ୍ଥ ଭାଙ୍ଗିରୁଜି ଗଲାଣି l ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ଅଞ୍ଚଳର ଶିକ୍ଷାପ୍ରେମୀ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା କଲେଜ ଅଧ୍ୟକ୍ଷ ସୁଶିଲ କୁମାର ନାୟକ କହିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଜିଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଛାତ୍ର ସାମ୍ମୁଖ୍ୟ ଦାବି କରିଛି l ଏହା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଛାତ୍ର ସାମ୍ମୁଖ୍ୟ ଜିଲା ସଂଯୋଜକ ଜିତେନ୍ଦ୍ରୀୟ ଧୁରୁଆ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।