Categories: ଜାତୀୟ

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା

ନୂଆଦିଲ୍ଲୀ,୧୩।୪: ଚଳିତ ବର୍ଷ ଭାରତରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇପାରେ ବୋଲି ଘରୋଇ ପାଣିପାଗ ଅନୁମାନକାରୀ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସ୍କାଏମେଟ୍‌ର ମୌସୁମୀ ପୂର୍ବାନୁମାନ ଅନୁସାରେ ଜୁନ୍‌-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର(୪ ମାସ)ର ହାରାହାରି ବୃଷ୍ଟିପାତ ୮୮୦.୬ ମି.ମି. ତୁଳନାରେ ୨୦୨୨ରେ ୯୮% (+/-୫%) ବର୍ଷା ହୋଇପାରେ। ସ୍କାଏମେଟ୍‌ ଗତ ଫେବୃୟାରୀ ୨୧ରେ ନିଜ ପ୍ରାରମ୍ଭିକ ପୂର୍ବାନୁମାନ ଜାରି କରି ୨୦୨୨ରେ ‘ସ୍ବାଭାବିକ ବର୍ଷା’ ହେବା ନେଇ ଆକଳନ କରିଥିଲା, ଯାହାକୁ ବର୍ତ୍ତମାନ ମଧ୍ୟ ବଳବତ୍ତର ରଖିଛି। ଦୀର୍ଘମିଆଦୀ ଅନୁପାତ (ଏଲ୍‌ପିଏ) ୯୬-୧୦୪% ରହିଲେ ତାକୁ ଆଭେରେଜ୍‌ ବା ନର୍ମାଲ (ହାରାହାରି ବା ସ୍ବାଭାବିକ) ବୃଷ୍ଟିପାତ କୁହାଯାଏ। ତେବେ ଏବର୍ଷ ଏଲ୍‌ପିଏ ୯୮% ରହିବା ନେଇ ସ୍କାଏମେଟ୍‌ ଆକଳନ କରିଛି। ଭାରତର ପ୍ରାୟ ଅଧା ଚାଷଜମିକୁ ଚଳସେଚନ ସୁବିଧା ନ ଥିବାରୁ କୃଷି କାର୍ଯ୍ୟ ପାଇଁ ଚାଷୀକୁଳ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ତେଣୁ ଏହି ପୂର୍ବାନୁମାନ ପରେ ୨୦୨୨ରେ କୃଷିରେ ଉନ୍ନତି ସହ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ପାଇଁ ଅଭିବୃଦ୍ଧିର ଆଶା ଉଜ୍ଜ୍ୱଳ ହୋଇଛି। ତେବେ ରାଜସ୍ଥାନ, ଗୁଜରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ନିଅଣ୍ଟିଆ ବୃଷ୍ଟିପାତ ହେବା ଆଶଙ୍କା ରହିଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଦକ୍ଷିଣ ଭାରତର କେରଳ ଓ ଆଭ୍ୟନ୍ତରୀଣ କର୍ନାଟକରେ ବୃଷ୍ଟିପାତର ତୀବ୍ରତା କମ୍‌ ରହିପାରେ। ଅନ୍ୟପକ୍ଷେ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ନେଇ ସ୍କାଏମେଟ୍‌ ଆକଳନ କରିଛି। ସରକାରୀ ଭାବେ ପାଣିପାଗ ପୂର୍ବାନୁମାନ କରୁଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ଖୁବ୍‌ଶୀଘ୍ର ନିଜ ଆକଳନ ସମ୍ପର୍କରେ ଘୋଷଣା କରିପାରେ।

Share