ଢାକା, ୨୩।୬: ଆସାମ ରାଜ୍ୟ ସହ ସୀମା ବାଣ୍ଟୁଥିବା ପଡ଼ୋଶୀ ବାଂଲାଦେଶରେ ଚଳିତ ବର୍ଷ ଭୟଙ୍କର ବନ୍ୟାବିତ୍ପତ୍ତି ୯୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ କରିବା ସହ ୩୨ ଜଣଙ୍କ ଜୀବନ ନେଲାଣି। ୧୨୨ ବର୍ଷରେ ଏହା ଦେଶର ସବୁଠୁ ବଡ଼ଧରଣର ଜଳପ୍ରଳୟ ବୋଲି କୁହାଯାଉଛି। ସିଲହେଟ୍, ସୁନାମଗଞ୍ଜ ଏବଂ ବ୍ରାହମନବାରିଆ ସମେତ ଦେଶର ଉତ୍ତର ଭାଗ ବନ୍ୟା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ରିଲିଫ୍ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏନାମୁର ରେହମାନ କହିଛନ୍ତି। ସୀମାନ୍ତ ଆସାମରେ ଥିବା ବରାକ୍ ନଦୀ ଜଳ ବିପଦସଙ୍କୁଳ ସ୍ତର ଟପିଛି। ଏହି ନଦୀ ବାଂଲାଦେଶ ଦେଇ ମଧ୍ୟ ପ୍ରବାହିତ ହୋଇଛି। ଲଗାଣ ବର୍ଷା ଯୋଗୁ ନଦୀଜଳ ଉଚ୍ଛୁଳି ଆସାମ ସମେତ ବାଂଲାଦେଶରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି କରିଛି। ବିଶେଷକରି ବଜ୍ରପାତରେ ଅଧିକାଂଶଙ୍କ ମୃତ୍ୟୁ ଘଟିଛି।