Categories: ଜାତୀୟ

ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର ଏହି ହିଲ୍‌ ଷ୍ଟେଶନରେ ଶୁକ୍ରବାର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଚୁରୁରେ ପାରା ମାଇନସ୍‌ ୦.୩ ଓ ସିକାରରେ ବିଯୁକ୍ତ ୦.୫ ଡିଗ୍ରୀ ସେଲସିୟସ୍‌କୁ ଖସିଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ସେହିପରି ଦିଲ୍ଲୀକୁ ମଧ୍ୟ ଉତ୍ତରା ପବନ ଥଣ୍ଡା କରିଦେଇଛି। ଜାତୀୟ ରାଜଧାନୀରେ ମହାମାରୀ କରୋନା କାଳରେ ପ୍ରବଳ ଶୀତ ସାଙ୍ଗକୁ ବାୟୁ ପ୍ରଦୂଷଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ସଫଦରଜଙ୍ଗ ଅବ୍‌ଜର୍ଭେଟୋରିରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ପାରାଠାରୁ ୩ ଡିଗ୍ରୀ କମ୍‌। ପାଲମ୍‌ ଓ୍ବେଦର ଷ୍ଟେଶନରେ ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ୍‌ ମାପ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ହିମାଳୟରୁ ବହୁଥିବା ତୁଷାର ବହୁଳ ପବନକୁ ଏଥିପାଇଁ ଦାୟୀ କରାଯାଇଛି। ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୩୫ ରହିଛି, ଯାହାକୁ ‘ଖରାପ’ ଭାବେ ବର୍ଗୀକୃତ କରାଯାଇଛି। ଅନୁରୂପ ଭାବେ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଗୁରୁବାର ବର୍ଷା ହୋଇଥିଲା। ଏଥିଯୋଗୁ ବରେଲି ୩.୩ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗୋରଖପୁରରେ ୨୪.୬ ଡିଗ୍ରୀ ଥିଲା। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ଉତ୍ତର ରାଜସ୍ଥାନରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି।
ଅନ୍ୟପକ୍ଷେ ଦିଲ୍ଲୀ ସମେତ ରାଜଧାନୀ ସଂଲଗ୍ନ ସିଙ୍ଘୁ, ଟିକ୍ରି, ଗାଜିପୁର ଓ ଗାଜିଆବାଦ ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ଶୁଣୁ ନ ଥିବାରୁ ଡିସେମ୍ବର ୨୧ରୁ ଅଲ୍‌ ଇଣ୍ଡିଆ କିଷାନ ସଭା ନାସିକରୁ ଦିଲ୍ଲୀ ଯାଇ ଆନ୍ଦୋଳନରେ ସାମିଲ ହେବ ବୋଲି ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ଆମେରିକାରୁ ଆସିଥିବା ୨୦ ଜଣିଆ ଭାରତୀୟ ଡାକ୍ତରୀ ଟିମ୍‌ ଟିକ୍ରି ବର୍ଡରକୁ ଯାଇ ଆନ୍ଦୋଳନରତ କୃଷକଙ୍କୁ ସେବା ଯୋଗାଇବ ବୋଲି ଘୋଷଣା କରିଛି। ଏସବୁ ଭିତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବର୍ଷ ଶେଷ ସୁଦ୍ଧା ସମାଧାନର ବାଟ ବାହାରିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Share