ହସିବା, ପିଇବା ଉପରେ ବ୍ୟାନ

ପିୟଙ୍ଗୟାଙ୍ଗ,୧୭।୧୨: ଉତ୍ତର କୋରିଆ ଭାବେ ଜଣାଯାଉଥିବା ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ କୋରିଆର ନାଗରିକଙ୍କ ହସିବା, ପିଇବା ଓ ଶପିଂ ଉପରେ ବ୍ୟାନ ଲଗାଯାଇଛି। ଶୁକ୍ରବାର ଠାରୁ ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପୂର୍ବତନ ରାଷ୍ଟ୍ର ମୁଖ୍ୟ କିଙ୍ଗ ଜଙ୍ଗ ଇଲଙ୍କ ଦଶମ ଶ୍ରାଦ୍ଧବାର୍ଷିକ ଲାଗି ଦେଶରେ ୧୧ ଦିନ ପାଇଁ ଶୋକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୯୯୪ରୁ ୨୦୧୧ ପର୍ଯ୍ୟନ୍ତ ଉତ୍ତର କୋରିଆରେ ଶାସନ ଭାର ସମ୍ଭାଳି ଥିଲେ କିମ ଜଙ୍ଗ ଇଲ। ୨୦୧୧, ଡିସେମ୍ବର ୧୭ ତାରିଖରେ ହୃଦଘାତ୍‌ରେ ସେ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ପରେ ଦେଶର ଗାଦିରେ ବସିଥିଲେ ତାଙ୍କ ସାନ ପୁଅ କିମ ଜଙ୍ଗ-ଉନ।

ରେଡିଓ ଫ୍ରି ଏସିଆ ଅନୁଯାୟୀ, ଆଗାମୀ ୧୧ ଦିନ ଲାଗି ସମସ୍ତ ଅବକାଶ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିୟମ ଭଙ୍ଗ କଲେ ବିଗତ ବର୍ଷ ଭଳି ତାଙ୍କୁ ଗିରଫ କରାଯିବ। ଏପରି କି ଶୋକ ସମୟରେ ଯଦି ପରିବାରରେ କାହାରି ମୃତ୍ୟୁ ହୁଏ, ତେବେ ପରିବାର ସଦସ୍ୟ କାନ୍ଦି ପାରିବେ ନାହିଁ। ଶୋକ ଦିନରେ ଲୋକେ ସେମାନଙ୍କ ଜନ୍ମ ଦିନ ମଧ୍ୟ ପାଳନ କରିପାରିବେ ନାହିଁ।

Share