ଟୋକିଓ,୨୫।୩: ଉତ୍ତରକୋରିଆ ଜାପାନ ନିକଟ ସମୁଦ୍ରରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିଛି। ଏନେଇ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଗୁରୁବାର ସୂଚନା ଦେଇଛନ୍ତି। ଜାପାନ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ, ଆମେ ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ କରୁଛୁ। ପରିସ୍ଥିତି ଉପରେ ନଜର ରଖିଛୁ।
ଏହା ପୂର୍ବରୁ ଜାପାନ ସେନା କହିଛି ଯେ, ଜାପାନର ଏକ୍ସକ୍ଲ୍ୟୁସିଭ୍ ଇକୋନୋମିକ୍ ଜୋନ୍ ନିକଟରେ ଉତ୍ତରକୋରିଆର କ୍ଷେପଣାସ୍ତ୍ର ଖସିପଡ଼ିଛି। ଜାପାନର ପ୍ରଧାନମନ୍ତ୍ରୀ ସୁଗା ଏକ ସାକ୍ଷାତକାରରେ କହିଛନ୍ତି, ବର୍ଷକ ତଳେ ସମାନ ଢଙ୍ଗରେ ଉତ୍ତରକୋରିଆ କ୍ଷେପଣାସ୍ତ୍ର ଛାଡ଼ିଥିଲା। ଏହା ଆମ ଦେଶରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ। ଏହା ମଧ୍ୟ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବର ଉଲ୍ଲଂଘନ ଅଟେ।