ପୋଙ୍ଗୟାଙ୍ଗ,୪ ।୧୦: ଉତ୍ତର କୋରିଆ ତା’ର ଅସ୍ତ୍ର ପରୀକ୍ଷା ଶୃଙ୍ଖଳାରେ ଏକ ମିଶାଇଲ ଜାପାନ ଉପରେ ପକାଇଦେଇଛି । ଜାପାନର ଉତ୍ତର ଭାଗରେ ଏହି ମିଶାଇଲ ମାଡ ହୋଇଛି । ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରର ଉତ୍ତରରେ ଏହାକୁ ପକାଇଛି । ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଜାପାନ ଭୟଭୀତ ହୋଇଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଉତ୍ତର କୋରିଆର ଏହି ମିଶାଇଲ ପରୀକ୍ଷଣକୁ ନିନ୍ଦା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜାପାନର କିଛି ଅଞ୍ଚଳରେ ଟ୍ରେନ ସେବାକୁ ବନ୍ଦ କରି ଦିଆଯାଇଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ୧୦ ଦିନ ମଧ୍ୟରେ ଉତ୍ତର କୋରିଆ ପଞ୍ଚମ ଥର ପାଇଁ ଏହି ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ଅନୁମାନ ଲଗାଯାଉଛି କି ଏକଛତ୍ରବାଦୀ ଶାସକ କିମ ଜୋନ ଉନ ୫ ବର୍ଷରେ ତାଙ୍କର ପ୍ରଥମ ପରମାଣୁ ପରୀକ୍ଷଣ ଲାଗି ଅଣ୍ଟା ଭିଡୁଛନ୍ତି ।
ଉତ୍ତର କୋରିଆ ମିଶାଇଲ ସମ୍ପର୍କରେ ଜାପାନୀ ତଟରକ୍ଷକ ବଳ ଓ ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାପ ପତ୍ତା ଲଗାଇଛନ୍ତି । ଏହାପରେ ଉତ୍ତର ଜାପାନବାସୀଙ୍କୁ ପରାମର୍ଶ ଦିଆଯାଇଛି କି ସେମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଉତ୍ତର-ପୂର୍ବ ହୋକ୍କାଇଡୋ ଓ ଆଓମୋରି ଅଞ୍ଚଳରେ ଟ୍ରେନ୍ ସେବାକୁ ଅସ୍ଥ୍ରାୟୀ ଭାବେ ବନ୍ଦ କରି ଦିଆଯାଇଛି ।