ଉତ୍ତରକୋରିଆରେ ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି। ଯଦି କେହି ତାହା କରି ନ ଥାଏ ତେବେ ତାକୁ କିମ୍ଙ୍କ ପରିବାର ପକ୍ଷରୁ ଦଣ୍ଡିତ କରାଯାଇଥାଏ।
କିମ୍ଙ୍କ ପୂର୍ବରୁ ପ୍ରଥମେ ତାଙ୍କ ଜେଜେବାପା ଏବଂ ପରେ ବାପା କିମ୍ ଜୋଙ୍ଗ ଇଲ ଦେଶର ଶାସନ ଭାର ସମ୍ଭାଳି ଥିଲେ। କିମ୍ ଜୋଙ୍ଗ ଇଲଙ୍କ ହୃଦଘାତରେ ନିଧନ ହୋଇଥିଲା। ୨୦୧୧ ଡିସେମ୍ବର ୧୭ରେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ଏହାର ଦୁଇଦିନ ପରେ ଦେଶବାସୀଙ୍କୁ ଏନେଇ ଟେଲିଭିଜନ ଜରିଆରେ ଖବର ମିଳିଥିଲା। ଏଥିସହ ଦେଶରେ ୧୦ ଦିନିଆ ଆଧିକାରିକ ଶୋକ ଲାଗୁ ହୋଇଥିଲା। ଅନ୍ତିମ ସତ୍କାର ପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯାଇଥିଲା। ଦେଶବାସୀଙ୍କୁ ଶୋକ ସଭାରେ ଭୋ ଭୋ ହୋଇ କାନ୍ଦିବାକୁ ଆଦେଶ ଦିଆଯାଇଥିଲା। ଏପରି କରି ସେମାନେ ପୂର୍ବ ରାଜାଙ୍କ ପ୍ରତି ନିଜର ଭଲପାଇବା ଓ ଆନୁଗତ୍ୟ ଦେଖାଇବେ ବୋଲି କୁହାଯାଇଥିଲା। ନିର୍ଦ୍ଦେଶ ମୁତାବକ ଅଭ୍ୟାସ କରି ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା ଏବଂ ଶିଶୁ ସମସ୍ତେ ଶୋକସଭାରେ ସେଭଳି କାନ୍ଦିଥିଲେ। ସେଭଳି କାନ୍ଦୁ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଘରୁ ଉଠାଇ ନିଆଯାଇଥିଲା। ଏପରିକି ସେମାନଙ୍କୁ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ କଠୋର ଦଣ୍ଡ ଦିଆଯାଇଥିଲା। ୬୯ ବର୍ଷୀୟ ଜୋଙ୍ଗ ଇଲଙ୍କ ମୃତ୍ୟୁର ୩ ବର୍ଷ ପର୍ଯ୍ୟନ୍ତ ଏଭଳି ଚାଲିଥିଲା। ୨୦୧୪ ଡିସେମ୍ବର ୧୭ରେ ଏହା ଶେଷ ହୋଇଥିଲା। ଏ ନେଇ ଅନେକ ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ମୁଣ୍ଡ ଟେକିଥିଲା।