ଉତ୍ତର କୋରିଆରେ କରୋନା ପ୍ରତିରକ୍ଷା ଦୁର୍ବଳ

ପୋଙ୍ଗୟାଙ୍ଗ,୧୭।୫: ଉତ୍ତର କୋରିଆରେ କରୋନା ଚିହ୍ନଟ ହେବା ପରେ ଜ୍ୱର ମାମଲା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଉତ୍ତର କୋରିଆରେ ୨,୬୯,୫୧୦ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଚିହ୍ନଟ କରାଯାଇଥିବା ବେଳେ ଆଉ ୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଉତ୍ତର କୋରିଆରେ ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରାଯାଇ ନାହିଁ। ଯାହାଫଳରେ ଉତ୍ତର କୋରିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି। ଉତ୍ତର ଆଣ୍ଟି ଭାଇରସ ମୁଖ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜ୍ୱର ଯୋଗୁ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏପ୍ରିଲଠାରୁ ଏପର୍ଯ୍ୟନ୍ତ ୧୪.୮ ଲକ୍ଷ ଲୋକ ଅସୁସ୍ଥ ହୋଇଛନ୍ତି। ଉତ୍ତର କୋରିଆର ଅଧିକାଂଶ ଲୋକ କରୋନା କାରଣରୁ ଅସୁସ୍ଥ ରହିଥିବା ବିଶେଷଜ୍ଞ କହିଛନ୍ତି। କେବଳ ଏତିକି ନୁହେଁ ଦାରିଦ୍ରତା ଏବଂ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁ ଉତ୍ତର କୋରିଆରେ କରୋନା ପରୀକ୍ଷା, ଟିକା ଏବଂ ଚିକିତ୍ସା ପାଇଁ କୌଣସି ସୁବିଧା ନାହିଁ। ଯାହାଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସୂଚନାଯୋଗ୍ୟ, ଉତ୍ତର କୋରିଆରେ ବର୍ତ୍ତମାନ ୬୬୩,୯୧୦ ଲୋକ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଉତ୍ତର କୋରିଆ ସ୍ପଷ୍ଟ କରିନାହିଁ ଯେ, ଜ୍ୱରରେ ପୀଡିତ ଥିବା ରୋଗୀଙ୍କ ମଧ୍ୟ କେତେ କରୋନା ଆକ୍ରାନ୍ତ ରହିଛନ୍ତି। ସେହିପରି ଉତ୍ତର କୋରିଆରେ କରୋନା ପରୀକ୍ଷା ସୁବିଧା ମଧ୍ୟ ନ ଥିବାରୁ ଆକ୍ରାନ୍ତ ଚିହ୍ନଟ ହୋଇପାରୁନାହାନ୍ତି। କେବଳ ଆଶ୍ରୟସ୍ଥଳରେ ରହୁଥିବା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା କରାଯାଉଛି ବୋଲି ଜଣାପଡ଼ିଛି। ଉତ୍ତର କୋରିଆରେ ବଢ଼ୁଥିବା କରୋନା ମାମଲା ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Share