ଉତ୍ତର କୋରିଆରେ ଆତ୍ମହତ୍ୟା ଉପରେ ପ୍ରତିବନ୍ଧକ, ଦାରିଦ୍ର ଏବଂ ଅନାହାର କାରଣରୁ ଲୋକ କରୁଛନ୍ତି ଆତ୍ମହତ୍ୟା

ପ୍ୟୋଙ୍ଗୟାଙ୍ଗ,୧୩।୬: ଉତ୍ତର କୋରିଆରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆତ୍ମହତ୍ୟାକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏନେଇ ସେ ଏକ ଗୁପ୍ତ ଅଦେଶ ପାରି କରିଛନ୍ତି। ଆତ୍ମହତ୍ୟାକୁ ସେ ଦେଶଦ୍ରୋହ ବୋଲି ଅଭିହିତ କରିଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସେ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଭବିଷ୍ୟତରେ ଏପରି ଘଟଣା ସାମ୍ନାକୁ ଆସିଲେ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର କୋରିଆର ଏକ ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଗତ ବର୍ଷ ତୁଳନାରେ ଏହି ବର୍ଷ ଦେଶର ୪୦% ଅଧିକ ଆତ୍ମହତ୍ୟା ମାମଲା ରିପୋର୍ଟ କରାଯାଇଛି। କେବଳ ଚୋଙ୍ଗଜିନରେ ୩୫ଟି ଆତ୍ମହତ୍ୟା ମାମଲା ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଟଣା ସମଗ୍ର ପରିବାର ଏକାଠି ଆତ୍ମହତ୍ୟା କରୁଥିବାର ଦେଖାଯାଇଛି। ଲୋକମାନେ ସୁଇସାଇଡ୍‌ ନୋଟ୍‌ରେ ଦେଶର ସାମାଜିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଦାରିଦ୍ରତା ଏବଂ ବେକାରୀକୁ ସେମାନେ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି। ଦେଶରେ ହିଂସାତ୍ମକ ଅପରାଧିକ ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଡବ୍ଲୁଏଚ୍‌ଓର ୨୦୧୯ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ପ୍ରତି ୧ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ ୮.୨ପ୍ରତିଶତ ଲୋକ ଆତ୍ମହତ୍ୟା କରିଛନ୍ତି। ତେବେ କିମ୍‌ ଏପର୍ଯ୍ୟନ୍ତ ଆତ୍ମହତ୍ୟା ମାମଲାର ସରକାରୀ ତଥ୍ୟ ପ୍ରକାଶ କରିନାହାନ୍ତି।

 

Share