ସିଓଲ,୨୪।୩: ଦକ୍ଷିଣ କୋରିଆ ଏବଂ ଆମେରିକାର ଯୁଦ୍ଧ ଅଭ୍ୟାସ ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ ସମଗ୍ର ବିଶ୍ୱକୁ ଭୟଭୀତ କରିଛି। ଉତ୍ତର କୋରିଆ ଶୁକ୍ରବାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏକ ଅଣ୍ଡର ୱାଟର ପରମାଣୁ ଡ୍ରୋନ ପରୀକ୍ଷା କରିଛି ବୋଲି ରାଜ୍ୟ ସମ୍ବାଦ ଏଜେନ୍ସି କେସିଏନଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଡ୍ରୋନ ଏତେ ବିପଜ୍ଜନକ ଯେ, ଏହାର ଆକ୍ରମଣ ଦ୍ୱାରା ପାଣି ତଳେ ସୁନାମି ଆଣିପାରେ। ଯୁଦ୍ଧ ସମୟରେ ଏହା ଶତ୍ରୁର ନୌସେନାକୁ ନଷ୍ଟ କରିବା ଲକ୍ଷ୍ୟରେ ଆକ୍ରମଣ କରାଯାଇପାରେ।
ରିପୋର୍ଟରେ କୁହାଯାଇଛି ଯେ, ଏହି ଡ୍ରିଲ ସମୟରେ ଉତ୍ତର କୋରିଆ ଡ୍ରୋନ ୫୯ ଘଣ୍ଟାରୁ ଅଧିକ ସମୟ ଜଳ ତଳେ ଭ୍ରମଣ କରି ଶୁକ୍ରବାର ଏହାର ପୂର୍ବ ଉପକୂଳବର୍ତ୍ତୀ ଜଳରେ ବିସ୍ଫୋରଣ ହୋଇଥିଲା। ତେବେ ଉତ୍ତର କୋରିଆ ପକ୍ଷରୁ ଡ୍ରୋନର ପରମାଣୁ କ୍ଷମତା ଉପରେ ବିସ୍ତୃତ ବିବରଣୀ ଦିଆଯାଇନାହିଁ।