Categories: ଫୁରସତ

ଆଜି ବି ଏହିସବୁ ଦେଶରେ ରହିଛି ଦାସତ୍ୱର ପ୍ରଥା; ଜନତାକୁ ଉଠ କହିଲେ ଉଠନ୍ତି…

ଆଜିର ଆଧୁନିକ ଯୁଗରେ ଆମେ ସ୍ବାଧୀନତାରେ ବଞ୍ଚୁଛେ। ଯଦି କେହି ଆମକୁ ଦାସତ୍ୱ ବିଷୟରେ କୁହେ ତେବେ ଏହା ଆମକୁ ଅଜବ ଲାଗିପାରେ। ଗ୍ଲୋବାଲ ସ୍ଲାଭେରି ଇଣ୍ଡେକ୍ସ ୨୦୨୩ରୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଦୁନିଆରେ ଏବେ ଏପରି ଦେଶ ମଧ୍ୟ ଅଛି ଯେଉଁଠାରେ ଦାସତ୍ୱ ପ୍ରଥା ଆଜି ବି ଜାରି ରହିଛି।

ବହୁ ବର୍ଷ ପୂର୍ବେ ଦୁନିଆରେ ଦାସତ୍ୱ ପ୍ରଥା ଅତି ସାଧାରଣ ଥିଲା। ଆରବ ଦେଶରୁ ଆରମ୍ଭ କରି ପାଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ ଦାସମାନଙ୍କୁ ଚାଲାଣ କରାଯାଉଥିଲା। ଯଦିଓ ବର୍ତ୍ତମାନ ଏହାକୁ ଅନେକ ଦେଶରେ ଆଇନ ଦ୍ୱାରା ନିଷେଧ କରାଯାଇଛି। ତଥାପି ଗ୍ଲୋବାଲ ସ୍ଲାଭେରି ଇଣ୍ଡେକ୍ସ ଅନୁଯାୟୀ, ସମଗ୍ର ବିଶ୍ୱରେ ୫ କୋଟି ଲୋକ ଏବେ ବି ଦାସ ଭାବେ ଖଟୁଛନ୍ତି।

ଉତ୍ତର କୋରିଆରେ ଜନସାଧାରଣ ଉପରେ ଅତ୍ୟାଚାର ତଥା ଅଜବ ନିୟମକାନୁନ ବିଷୟରେ ଶୁଣିଥିବେ। ସୂଚକାଙ୍କରେ ଉତ୍ତର କୋରିଆ ଶୀର୍ଷରେ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉତ୍ତର କୋରିଆରେ ଗୁଲାମମାନଙ୍କୁ ସାମଗ୍ରୀ ପରି ରପ୍ତାନି କରାଯାଉଛି। ବର୍ତ୍ତମାନ ଏଠାରେ ୧୦୪.୬ ଲୋକ ବେଠି ଖଟୁଛନ୍ତି। ଅର୍ଥାତ୍‌ ଏଠାରେ ଥିବା ଜନସଂଖ୍ୟାରୁ ୧୦ଜଣରୁ ଜଣେ ଦାସ ଅଛନ୍ତି।

ତାଲିକାରେ କୋରିଆ ପରେ ଏରିଟ୍ରିଆ ଏବଂ ମୋରିତାନିଆ ପରି ଆଫ୍ରିକୀୟ ଦେଶଗୁଡିକର ନାଁ ରହିଛି। ଯଦିଓ ଏଠାରେ ଅଶୀ ଦଶକରେ ଦାସତ୍ୱକୁ ବେଆଇନ ଘୋଷଣା କରାଯାଇଥିଲା, କିନ୍ତୁ ଗୁଲାମି ଆଜି ବି ଏଠାରେ ଜାରି ରହିଛି। ତାଲିକାରେ ୟୁଏଇ, କୁବେତ ଏବଂ ସାଉଦି ଆରବ ଦେଶଗୁଡିକର ନାଁ ରହିଛିି। ଏହି ଦେଶଗୁଡିକରେ ବହୁତ ଧନୀ ଅଛନ୍ତି ଏଥିସହ ଏଠାରେ ନାଗରିକମାନଙ୍କ ଆର୍ଥିକ ଭାବେ ସ୍ବଚ୍ଚଳ। କିନ୍ତୁ ବାହାରୁ ଏଠାକୁ ଆସୁଥିବା ଶ୍ରମିକମାନଙ୍କୁ ଦାସ ପରି ରଖାଯାଇଥାଏ।

ଉତ୍ତର କୋରିଆରେ ଦାସତ୍ୱର ଅବସ୍ଥା ଏପରି ଯେ ନିଜ ଦେଶ ବ୍ୟତୀତ ଅନ୍ୟ ଦେଶକୁ ଦାସ ପଠାଯାଇଥାଏ। ୨୦୧୬ରେ ‘ଡାଟାବେସ ସେଣ୍ଟର ଫର୍‌ ନର୍ଥ କୋରିଆ ହ୍ୟୁମାନ ରାଇଟ୍ସ’ ଏକ ତଥ୍ୟ ଦେଇଥିଲା ଯେ, ଉତ୍ତର କୋରିଆର ଶ୍ରମିକମାନଙ୍କୁ ଅନ୍ୟ ଦେଶକୁ ପଠାଯାଇ ଦେଶ ତା’ର ସରକାରୀ ରାଜକୋଷକୁ ବଢାଇବାରେ ଲାଗିଛି।

୨୦୧୨ରେ କିମ ଜଙ୍ଗ ଉନ କ୍ଷମତା ଗ୍ରହଣ କରିବା ପରେ ଏଠାରେ ନାଗରିକମାନଙ୍କୁ ଦ୍ରବ୍ୟ ଭଳି ବ୍ୟବହାର କରାଯାଉଛି। ଯେଉଁମାନେ ଏଠାରୁ ଖସିଯିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ବାନ୍ଧି ଶ୍ରମିକ ଭାବେ ଖଟା ଯାଉଥିଲା। କାହାକୁ ନିଜ ଦେଶରେ ଦାସ ଭାବେ ରଖାଯାଉଥିଲା ତ କାହାକୁ ବିଦେଶକୁ ପଠାଯାଇଥିଲା।

ଆଧୁନିକ ଦାସତ୍ୱ ପ୍ରଥାରେ କାମ କରିବାର କୌଣସି ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ନାହିଁ। ଏଥିସହ ସେମାନଙ୍କୁ ଦରମା ମଧ୍ୟ ଦିଆଯାଏ ନାହିଁ। ଏଠାରେ ବିବାହିତ ଲୋକଙ୍କୁ ବାହାର ଦେଶକୁ ଦାସ ଭାବେ ପଠାଯାଇଥାଏ। ଏମାନଙ୍କୁ ୧୪ରୁ ୧୬ଘଣ୍ଟା କାମ କରାଯାଇଥାଏ। ଏପରିକି ସେମାନେ ଖସିଯିବା ଭୟରେ ସେମାନଙ୍କ ଠାରୁ ସବୁ ପରିଚୟ ପତ୍ର ନିଆଯାଇଥାଏ।

Share