ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨୩ା୧୧: ଆମେରିକା ଓ ଜାପାନକୁ ବାରମ୍ବାର ଆକ୍ରମଣ ଧମକ ଦେଉଥିବା ଉତ୍ତର କୋରିଆର ସ୍ପାଏ ସାଟେଲାଇଟ୍‌ ଲଞ୍ଚ ସଫଳ ହୋଇଛି। ଏହା ହେଉଛି ଗତ ୬ ମାସ ଭିତରେ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ତୃତୀୟ ଲଞ୍ଚ ଉଦ୍ୟମ। ସ୍ଥାନୀୟ ସମୟ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୪୨ରେ ସୋହାୟେ ସାଟେଲାଇଟ୍‌ ଲଞ୍ଚତ୍ଙ୍ଗ୍‌ ସେଣ୍ଟରରେ ଉପଗ୍ରହ ମାଲ୍ଲିଗ୍‌ୟୋଙ୍ଗ୍‌-୧କୁ ଉତ୍‌କ୍ଷେପଣର ୧୨ ମିନିଟ୍‌ ପରେ କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା। ନଭେମ୍ବର ୨୨ରୁ ଡିସେମ୍ବର ୧ ମଧ୍ୟରେ ଗୁପ୍ତଚର ଉପଗ୍ରହକୁ ଲଞ୍ଚ କରାଯିବ ବୋଲି ଏହାର କିଛି ଘଣ୍ଟା ପୂର୍ବରୁ ଉତ୍ତର କୋରିଆ ଜାପାନକୁ ଜଣାଇଥିଲା। ସରକାରୀ ଗଣମାଧ୍ୟମ ଉତ୍ତର କୋରୀୟ ନେତା ଲଞ୍ଚ ପରେ ହସୁଥିବା ଭିଡିଓ ପ୍ରସାର କରିଛି। ଏହି ସାଟେଲାଇଟ୍‌ ଲଞ୍ଚ ପଛରେ ରୁଷିଆର ହାତ ଥିବା ସନ୍ଦେହ କରାଯାଉଛି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚଳିତ ମାସରେ ଉତ୍ତର କୋରିଆ ଓ ରୁଷିଆର ବଢ଼ିଚାଲିଥିବା ଘନିଷ୍ଠତାକୁ ବିପଜ୍ଜନକ ଦର୍ଶାଇଥିଲେ।

Share