ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ଏକ ନିଆରା ଢଙ୍ଗରେ ପୁରୀ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସକାଳ ୭ଟାରେ ନିମାପଡ଼ାର ହରିପୁରଠାରୁ ସିଦ୍ଧାର୍ଥ ଏକ ବ୍ୟାଟେରିଚାଳିତ ସାଇକେଲ ଚଳାଇ ନାମାଙ୍କନପତ୍ର ଦାଖଲ କରିବା ପାଇଁ ପୁରୀ ଯାଉଥିବା ଦେଖିବାକୁ ମିଳିଥିଲା। ବାଟରେ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏ ନେଇ ସିଦ୍ଧାର୍ଥ କହିଥିଲେ, ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ପତିଆରା ଦେଖାଇବା ପାଇଁ ଗାଡ଼ି ଘୋଡ଼ା, ଅର୍ଥ ପ୍ରଭୃତି ଦେଇ ଲୋକ ନେଉଥିବା ବେଳେ ମୁଁ ଏହାକୁ ଉଚିତ ମନେ ନ କରି ଦୀର୍ଘ ୫୦ କି.ମି. ସାଇକେଲ ଯାତ୍ରାରେ ବାହାରିଛି। କାହିଁକି ଲକ୍ଷାଧିକ ଟଙ୍କା ଅଯଥାରେ ଖର୍ଚ୍ଚ କରିବି, ବରଂ ସେହି ଅର୍ଥ ଗରିବ ଲୋକଙ୍କୁ ଦେଲେ ସେମାନେ ଉପକୃତ ହେବେ। ଏହି ଅବସରରେ ଦଳୀୟ ସମର୍ଥକ କବିତା ପ୍ରିୟଦର୍ଶିନୀ ଦାସ, ଜ୍ୟୋତିରାଜ ମହାନ୍ତି ଓ ଜିତେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share