୧୩ ମାସ ମଧ୍ୟରେ ଏହି ଗାଁରୁ ବାହାରି ନାହାନ୍ତି ଗୋଟିଏ ବି କରୋନା ପଜିଟିଭ୍‌

ବର୍ତ୍ତମାନ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ଏପରି ସ୍ଥିତିରେ କେତେକ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ରୋଗୀମାନଙ୍କୁ ବେଡ୍‌ ବି ମିଳୁନି। ଏପଟେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଭୟାବହ ପରିସ୍ଥିତିରେ ଏମିତି ଏକ ଗାଁ ଅଛି, ଯାହା ପୂରା ସୁରକ୍ଷିତ ଅଟେ। ଏହାର ସବୁଠୁ ବଡ଼ କାରଣ ହେଲା ଏହି ଗାଁ ଲୋକମାନେ ପୂରା ଅନୁଶାସନ ଏବଂ ସାବଧାନ ସହ କାମ କରନ୍ତି। ଗତବର୍ଷ ଯେତେବେଳେ ଦେଶରେ ଲକ୍‌ଡାଉନ ଚାଲିଥିଲା, ସେତେବେଳେ ଏହି ଗାଁର ଲୋକମାନେ ଗାଁର ମୁଖ୍ୟ ରାସ୍ତାକୁ ବନ୍ଦ କରିଦେଇଥିଲେ। ଏଥିସହିତ ବାହାରୁ ଆସୁଥିବା ଲୋକମାନଙ୍କୁ କଡ଼ା ଯାଞ୍ଚ କରୁଥିଲେ।

ଏମିତି ଏକ ନିଆରା ଗାଁ ରହିଛି ରାଜସ୍ଥାନର ସିକର ଜିଲାରେ। ଏହି ଗାଁର ନାମ ସୁଖପୁରା। ଗ୍ରାମବାସୀ କରୋନା ମହାମାରୀଠାରୁ ନିଜକୁ ଏବଂ ଗାଁକୁ ପୂରା ସୁରକ୍ଷିତ ରଖିଛନ୍ତି। ଫଳସ୍ବରୂପ ୧୩ ମାସ ମଧ୍ୟରେ ଏହି ଗାଁରୁ ଗୋଟିଏ ହେଲେ କରୋନା ରୋଗୀ ବାହାରିନାହାନ୍ତି।

ଗ୍ରାମବାସୀ କୁହନ୍ତି, ପ୍ରଶାସନକୁ ସେମାନେ ପୂରା ମାତ୍ରାରେ ସହଯୋଗ କରନ୍ତି। ଏଥିସହିତ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ କଡ଼ା ନଜର ରଖିଥାନ୍ତି। ଯେଉଁମାନେ ବାହାରୁ ଗାଁକୁ ଆସନ୍ତି ସେମାନଙ୍କୁ ତୁରନ୍ତ ଆଇସୋଲେଶନରେ ରଖାଯାଏ। ଏହା ସହିତ ଗାଁର ସ୍ବଚ୍ଛତା ପ୍ରତି ସେମାନେ ବିଶେଷ ଦୃଷ୍ଟି ଦେଇଥାନ୍ତି। ଯେଉଁଥିପାଇଁ ଆଜି ପୂରା ଗାଁ ସୁରକ୍ଷିତ ରହିଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିୟମ ମାନି ଚଳନ୍ତି। ବାସ୍ତବରେ ଏହି ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Share