Categories: ଫୁରସତ

ପଥର ନୁହେଁ, ମାଛ

ପୃଥିବୀର ସବୁଠୁ ବିଷାକ୍ତ ମାଛ ହେଲେ ଷ୍ଟୋନ୍‌ ଫିଶ୍‌। ଏହା ଦେଖିବାକୁ ଖଣ୍ଡେ ଅପରିଷ୍କାର ପଥର ଭଳି। ହେଲେ ଏହି ମାଛ ଏତେ ବିଷାକ୍ତ ଯେ, ଏହାକୁ ଖାଇବା ତ ଦୂରର କଥା, ଏହାର ମାତ୍ର ଗୋଟିଏ ବୁନ୍ଦା ବିଷ ମଣିଷକୁ ମୃତ୍ୟୁମୁଖକୁ ଠେଲି ଦେଇପାରେ। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ…
୩୦ରୁ ୪୦ ସେଣ୍ଟିମିଟର ଲମ୍ବା ବିଶିଷ୍ଟ ଏହି ମାଛ ଭାରତ ଏବଂ ପ୍ରଶାନ୍ତ ମହାସାଗରର କେତେକ ଭାଗରେ ଦେଖାଯାଇଥାଏ। ଏହି ମାଛଖୁବ୍‌ ବିଷାକ୍ତ। ଏହାର ପିଠି ଡେଣାରେ ଥିବା ୧୩ଟି କଣ୍ଟାରେ ରହିଛି ଏହି ବିଷ ବାହାରୁ ଥିବା ଥଳି।
ଏହାର ରଙ୍ଗ ସାଧାରଣତଃ ପଥର ସହିତ ମିଶି ଯାଉଥିବାରୁ ସହଜରେ ଜଣାପଡ଼ି ନ ଥାଏ। ଏହି ମାଛ ପାଣି ବାହାରେ ମଧ୍ୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ। ତେଣୁ ସମୁଦ୍ର କୂଳରେ ବୁଲିବା ସମୟରେ ପଥର କିମ୍ବା ଶୈବାଳ ଭାବି ଏହା ଉପରେ ଅନେକେ ପାଦ ରଖିଦିଅନ୍ତି ଏବଂ ଏହାର ଶିକାର ହୋଇଥା’ନ୍ତି। ପାଦ ପଡ଼ିବା ମାତ୍ରେ ଏହି ମାଛ ୦.୫ ସେକେଣ୍ଡ ବେଗରେ ବିଷ ଛାଡ଼ିଥାଏ। ଏହି ବିଷ ପାଦରେ ଲାଗିଲେ ମଣିଷର ଗୋଡ଼ କାଟିବାକୁ ପଡ଼ିଥାଏ କିମ୍ବା ବେଳେବେଳେ ମୃତ୍ୟୁର କାରଣ ସାଜିଥାଏ। ଆଉ ଯଦି ଏହା କୌଣସି କାରଣରୁ ଶରୀର ଭିତରକୁ ଚାଲିଯାଏ, ତେବେ ମୃତ୍ୟୁ ସୁନିଶ୍ଚିତ।
ବିଷାକ୍ତ ହୋଇଥିଲେ ହେଁ ସାର୍କ ଏବଂ ରେ’ ଭଳି ବଡ଼ ମାଛ ଏହାକୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମାଛକୁ ଚାଇନା ଏବଂ ଜାପାନ ଆଦି ଦେଶରେ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ, ଯାହାକୁ ଓକୋଜ ସାସିମି ବୋଲି କୁହାଯାଇଥାଏ। ଯଦିଓ ରନ୍ଧା ହେବା ପରେ ଅର୍ଥାତ୍‌ ଗରମ ହେବା ଦ୍ୱାରା ଏହାର ବିଷ ନଷ୍ଟ ହୋଇଯାଇଥାଏ, ତଥାପି ଫିଲିପାଇନ୍ସରେ କେବଳ ଲାଇସେନ୍ସ ଥିବା ଜାପାନିଜ ସେଫ୍‌କୁ ରାନ୍ଧିବାକୁ ଅନୁମତି ରହିଛି।

Share