Categories: ବାଣିଜ୍ୟ

ସବୁ କ୍ରିପ୍ଟୋକରେନ୍ସି ବନ୍ଦ ହେବନି

ନୂଆଦିଲ୍ଲୀ,୧୫।୩: ଭାରତ ସବୁ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବ ନାହିଁ। ବିକଳ୍ପ ପେମେଣ୍ଟ ନେଇ ଗବେଷଣା ଏବଂ ଟେକ୍ନୋଲୋଜି ବ୍ୟବହାରକୁ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ମତ ପ୍ରକାଶ କରିଛନ୍ତି। ଏ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସେ କହିଛନ୍ତି। ଶନିବାର ବିଶ୍ୱର ସର୍ବବୃହତ୍‌ କ୍ରିପ୍ଟୋକରେନ୍ସି ରେକର୍ଡ ସ୍ତର ୬୦ ହଜାର ଡଲାର ଛୁଇଁଛି। ଏହାକୁ ପେମେଣ୍ଟ ଭାବେ ଗ୍ରହଣ କରାଯାଉଥିବାରୁ ଚଳିତ ବର୍ଷ ଏଥିରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କ୍ରିପ୍ଟୋକରେନ୍ସି ବିଲ୍‌ ଆଣିବା ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କ୍ରିପ୍ଟୋକରେନ୍ସି ବ୍ୟାନ କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ପରାମର୍ଶ ଦେଇଥିଲେ। କ୍ରିପ୍ଟୋକରେନ୍ସି ଟ୍ରେଡିଂ ପ୍ଲାଟଫର୍ମ ଉପରେ ଆର୍‌ବିଆଇ କଟକଣା ଲଗାଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟ ହଟାଇ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନିର୍ମଳା କହିଛନ୍ତି, ସରକାର ସବୁ ବିକଳ୍ପକୁ ବନ୍ଦ କରି ଦେଇନାହାନ୍ତି। ବ୍ଲକଚେନ, ବିଟ୍‌ କଏନ କିମ୍ବା କ୍ରିପ୍ଟୋକରେନ୍ସି ଉପରେ ଗବେଷଣା ଲାଗି ସରକାର ଏକ ଓ୍ବିଣ୍ଡୋକୁ ଅନୁମତି ପ୍ରଦାନ କରିବେ ବୋଲି ଏଠାରେ ଏକ କାର୍ଯ୍ୟକ୍ରମରେ ସେ ମତ ପ୍ରକାଶ କରିଛନ୍ତି।

Share