ଏକସଙ୍ଗେ ନୁହେଁ

‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ଏବେ ଦେଶବ୍ୟାପୀ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହାର ବାସ୍ତବତା ନେଇ ସନ୍ଦେହ ଉପୁଜିଥିବା ବେଳେ ପ୍ରକୃତ କଥାକୁ ନିରେଖି ଦେଖିଲେ କେନ୍ଦ୍ର ସରକାର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ଏକ ଫନ୍ଦା ଆରମ୍ଭ କରିଥାଇପାରନ୍ତି। ଆଜିର ସ୍ଥିତିରେ ହଠାତ୍‌ ଏହା ଲାଗୁ କରିବା କଷ୍ଟକର ବ୍ୟାପାର। ଭାରତ ସ୍ବାଧୀନ ହେବା ପରଠାରୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲୋକ ସଭା ସହିତ ବିଧାନସଭା ନିର୍ବାଚନକୁ ଏକ ସଙ୍ଗେ କରିଥିଲେ। ଏହା ୧୯୬୭ ଯାଏ ଚାଲିଥିଲା ବୋଲି ଇତିହାସ କହୁଛି। କିନ୍ତୁ ପରବର୍ତ୍ତୀ ସମୟରେ କେଉଁଠାରେ ସରକାର ବିଶ୍ୱାସ ହରାଇବା ଯୋଗୁ ବିଧାନସଭା ଭଙ୍ଗ ହୋଇଥିଲା ବେଳେ ଅନ୍ୟ କେଉଁଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ଜବରଦସ୍ତ ରାଜ୍ୟ ସରକାରକୁ ବରଖାସ୍ତ କରାଯାଇଥିଲା। ବିଭିନ୍ନ ପ୍ରକାର ଅସଙ୍ଗତି ଦେଖାଦେବାରୁ ନିର୍ବାଚନ ସମୟରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲା। ଏବର ସ୍ଥିତି ଦେଖି ବିଧିବଦ୍ଧ ଭାବେ ହିସାବ କଲେ ଆସନ୍ତାବର୍ଷ ମେ’ରେ ଲୋକ ସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବା କଥା। କିନ୍ତୁ କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି ଯେ, ଖୁବ୍‌ଶୀଘ୍ର ଲୋକ ସଭାକୁ ଭାଙ୍ଗିଦିଆଯାଇ ସଦ୍ୟ ନିର୍ବାଚନ କରାଯିବ। ଏମିତି ଦେଖିଲେ ଆସନ୍ତା ନଭେମ୍ବର-ଡିସେମ୍ବରରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ମୋଦି ସରକାର କହୁଛନ୍ତି, ପ୍ରାୟ ୯ଟି ରାଜ୍ୟରେ ଯଦି ପାଖାପାଖି ନିର୍ବାଚନ ହେବାର ଅଛି, ତେଣୁ ଅନ୍ୟ ବିଧାନସଭାଗୁଡ଼ିକୁ ଲୋକ ସଭା ନିର୍ବାଚନ ସହିତ ମିଶାଇ ଗୋଟିଏ ନିର୍ବାଚନ କରାଗଲେ ଏ ଦିଗରେ ହେଉଥିବା ଖର୍ଚ୍ଚକୁ ହ୍ରାସ କରାଯାଇପାରିବ। ବାସ୍ତବରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଭଳି ରାଜ୍ୟରେ ଭାଜପା ଜିତିକରି ସରକାର ଗଢ଼ିବା ସମ୍ଭବପର ମନେ ହେଉନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ପରାଜୟକୁ ସାମ୍ନା କଲାଭଳି ଶକ୍ତି ଭାଜପା ପାଖରେ ନାହିଁ ବୋଲି ସେହି ଦଳର ନେତୃତ୍ୱ ବୁଝିସାରିଲେଣି। ଦୀର୍ଘ ଏକ ଦଶନ୍ଧିର ଶାସନକାଳ ପରେ ମୋଦିଙ୍କ କରିସ୍ମା ହ୍ରାସ ପାଇଛି ବୋଲି ସମସ୍ତେ ହୃଦ୍‌ବୋଧ କଲେଣି। ବିନା କୌଣସି ନୂତନତ୍ୱ ଦର୍ଶାଇ ନିର୍ବାଚନ ଲଢ଼ିଲେ କେନ୍ଦ୍ରରେ ଭାଜପା ପାଇଁ କଷ୍ଟକର ବ୍ୟାପାର ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।
ଚଳିତ ମାସ ୧୮ ତାରିଖରୁ ୫ ଦିନିଆ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହା ଘୋଷଣା ହେବାର ପରଦିନ ସରକାର ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌କୁ ଉକ୍ତ ଅଧିବେଶନରେ ଆଗତ କରିବେ ବୋଲି ସଙ୍କେତ ଦେଇଥିଲେ। ଉକ୍ତ ବିଷୟ ଘୋଷଣା କଲାବେଳକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ଏହି ବିଲ୍‌ ଆଗତ ହେବାରେ କେହି ବିଚଳିତ ହେବା ଦରକାର ନାହିଁ। ତା’ର ଉତ୍ତରରେ ବିରୋଧୀ ଦଳ କହିଛନ୍ତି, ସମ୍ଭବତଃ ସରକାର ବ୍ୟସ୍ତ ହୋଇପଡ଼ିଥିବାରୁ ଏଭଳି ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ଏ ସଂକ୍ରାନ୍ତରେ ତର୍ଜମା କରିବା ସକାଶେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହାର ସ୍ବରୂପକୁ ଦେଖିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ଏମ୍‌ପି ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନ୍‌ର ପୂର୍ବତନ ଅଧ୍ୟକ୍ଷ ଏନ୍‌.କେ. ସିଂ, ଲୋକ ସଭାର ପୂର୍ବତନ ସେକ୍ରେଟାରି -ଜେନେରାଲ ଡକ୍ଟର ସୁଭାଷ ସି. କାଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ ପୂର୍ବତନ ସିଭିସି ସଞ୍ଜୟ କୋଠାରୀ ସଦସ୍ୟ ଅଛନ୍ତି। ହେଲେ ଅଧୀର ରଞ୍ଜନ ଉକ୍ତ ପ୍ୟାନେଲରେ ରହିବେ ନାହିଁ ବୋଲି କହିସାରିଲେଣି। ଏଭଳି ଅବାସ୍ତବ ପ୍ରସ୍ତାବ ସରକାରଙ୍କ ଦ୍ୱାରା ଅଣାଯାଇଥିବାରୁ ସେଥିରେ ମନ୍ଦ ଉଦ୍ଦେଶ୍ୟ ନିହିତ ଥିବା ଦର୍ଶାଇ ଅଧୀର କମିଟିରୁ ଓହରି ଯାଇଛନ୍ତି।
୨୦୧୪ ସାଧାରଣ ନିର୍ବାଚନ ବେଳେ ଭାଜପା ନିଜ ଇସ୍ତାହାରରେ ଏକକ ନିର୍ବାଚନ କରାଇବା ନେଇ ଏକ ପଦ୍ଧତି ବିକଶିତ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୀର୍ଘ ଏକ ଦଶନ୍ଧି ମଧ୍ୟରେ ସେହି ଦିଗରେ କୌଣସି ପଦକ୍ଷେପ ନେଲାନାହିଁ। ନିଜକୁ ଅତି ଶକ୍ତିଶାଳୀ ବୋଲାଉଥିବା ଏହି ସରକାର ବିମୁଦ୍ରୀକରଣଠାରୁ ଆରମ୍ଭ କରି କରୋନା ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ବିନା କୌଣସି ଆଇନର ସାହାଯ୍ୟ ଲୋଡ଼ି ସ୍ବଇଚ୍ଛାରେ କରାଇଦେଇ ପାରିଥିଲେ। ଚାହିଁଥିଲେ ଏକସଙ୍ଗେ ନିର୍ବାଚନ ମଧ୍ୟ ଲୋକ ସଭାକୁ ଭାଙ୍ଗି କରାଇଦେଇ ପାରିଥାନ୍ତେ। ଏବେ ସ୍ଥିତିରେ ପରିବର୍ତ୍ତନ ଘଟିବାରୁ ବିକଳ୍ପ ପନ୍ଥା ଖୋଜିବାକୁ ଯାଇ ଏହିଭଳି ଡାକରା ଦିଆଯାଉଛି। ମନେରଖିବାକୁ ହେବ ଯେ, କରଦାତାଙ୍କ ପାଇଁ ଏକସଙ୍ଗେ ନିର୍ବାଚନ କରାହେଲେ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ଭୋଟ୍‌ଗ୍ରହଣ କେନ୍ଦ୍ର, ସେଥିରେ ମୁତୟନ ହେବାକୁଥିବା ସରକାରୀ କର୍ମଚାରୀ, ପୋଲିସ ବନ୍ଦୋବସ୍ତ, ପରିବହନ ଭଳି ସବୁ ଖର୍ଚ୍ଚ ଏପରି ନିର୍ବାଚନରେ ଏକସଙ୍ଗେ ହେବ, ଯାହାକି ସେହି ଖର୍ଚ୍ଚ ଏବେ ଭାଗବଣ୍ଟା ହୋଇ ଭିନ୍ନ ସମୟରେ ହେଉଛି। ଅର୍ଥାତ୍‌ ଦେଶର ଅର୍ଥ ବଞ୍ଚିବ ବୋଲି ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଅସତ୍ୟ।
ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ରାଷ୍ଟ୍ର। ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ମାଧ୍ୟମରେ ଭୋଟ ଗ୍ରହଣ କରାଯାଉଛି। ସମଗ୍ର ଦେଶରେ ଏକସଙ୍ଗେ ନିର୍ବାଚନ ହେଲେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଇଭିଏମ୍‌ ଏବଂ ସମାନ ସଂଖ୍ୟକ ଭୋଟର ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି)ର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। କିନ୍ତୁ ନିର୍ବାଚନ କମିଶନଙ୍କ ନିକଟରେ ଏବେ ମାତ୍ର ୧୨ ଲକ୍ଷ ଇଭିଏମ୍‌ ଅଛି। ନିର୍ବାଚନ କମ୍‌ ସମୟ ଥିବାରୁ ଆହୁରି ୧୩ ଲକ୍ଷ ଇଭିଏମ୍‌ ପ୍ରସ୍ତୁତ କରି ସେଗୁଡ଼ିକୁ ଯାଞ୍ଚ କରିବା ବୈଷୟିକ ଦୃଷ୍ଟିକୋଣରୁ ଯଥାର୍ଥ ମନେହେଉନାହିଁ। ସାମ୍ବିଧାନିକ ଦୃଷ୍ଟିରୁ ଦେଖିଲେ ଏକସଙ୍ଗେ ନିର୍ବାଚନ ହେବା ଲାଗି ତାରିଖ ଘୋଷଣା ହେବାର କିଛି ମାସ ପୂର୍ବରୁ ଯେଉଁ ବିଧାନସଭାଗୁଡ଼ିକର ଅବଧି ପୂରି ଯାଉଛି, ସେଗୁଡ଼ିକ କ୍ଷେତ୍ରରେ କେଉଁ ନିୟମ ଲାଗୁହେବ ତାହା ଅନେକ ପ୍ରଶ୍ନ ଠିଆ କରୁଛି। ଉଦାହରଣ ସ୍ବରୂପ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଆଦି ରାଜ୍ୟରେ ନଭେମ୍ବର ୨୦୨୩ରେ ଆୟୁଷ ପୂରୁଛି। ସେହିଭଳି ନିକଟ ଅତୀତରେ ଯେଉଁ ବିଧାନସଭାଗୁଡ଼ିକର ନିର୍ବାଚନ ସରି ସରକାର ଗଠନ ହୋଇଛି ଓ ସେଗୁଡ଼ିକର ଅବଧି ପ୍ରାୟ ୩ ବର୍ଷ ସମୟ ଅଛି, ସେହି ରାଜ୍ୟଗୁଡ଼ିକ ଯଥା ଉତ୍ତର ପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ମାନିନେବା ଭାଜପାର ଯୁକ୍ତି ଦେଶର ହିତ ଉପରେ ଆଧାରିତ। ଯଦି ବିଧାନସଭାଗୁଡ଼ିକୁ ଭଙ୍ଗକରି ଏକସଙ୍ଗେ ଲୋକ ସଭା ସହିତ ନିର୍ବାଚନ ହୁଏ, ତେବେ ପରବର୍ତ୍ତୀ ସମୟରେ କୌଣସି ବିଧାନସଭାରେ ଗୋଟିଏ ଦଳ ବହୁମତ ନ ପାଇପାରିଲେ କିମ୍ବା ରାଷ୍ଟ୍ରପତି ଶାସନ ଜାରି ହେଲେ ତାହାର ପ୍ରଭାବ କିଭଳି ସମ୍ଭଳା ପଡ଼ିବ ହେଉଛି ବଡ଼ ପ୍ରଶ୍ନ। ମନେରଖିବାକୁ ହେବ, ଏକ ସୁସ୍ଥ ଗଣତନ୍ତ୍ରରେ ହେଉଥିବା ବିଭିନ୍ନ ସମୟର ନିର୍ବାଚନ ସ୍କୁଲ ପିଲାଙ୍କ ପ୍ରୋଗ୍ରେସ ରିପୋର୍ଟ ଭଳି କାମକରେ। ଗୋଟିଏ ରାଜ୍ୟ ସରକାର ପାଇଁ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଲୋକମତକୁ ପଦାକୁ ଆଣିଥାଏ। ସେହିଭଳି ବିଭିନ୍ନ ରାଜ୍ୟରେ ନିର୍ବାଚନ ଦର୍ଶାଇଥାଏ କେନ୍ଦ୍ରରେ ଶାସନ କରୁଥିବା ଦଳର ଲୋକପ୍ରିୟତା। ଶେଷରେ ଏତିକି କହିହେବ, ୧୯୪୭ ପୂର୍ବରୁ ଭାରତୀୟ ଉପମହାଦେଶ କେବେହେଲେ ଗୋଟିଏ ଦେଶ ଭାବେ ନ ଥିଲା। ଏହାର ବିବିଧତାରେ ରହିଛି ଏକତା। ସେଥିପାଇଁ ଗୋଟିଏ ସମୟରେ ନିର୍ବାଚନ ଡାକରା ଦେଉଥିବା ମତ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନାଗରିକ ବିରୋଧୀ। ଏଥିସହିତ ଏହାର ଅବାସ୍ତବତା ବାରମ୍ବାର ପ୍ରମାଣିତ ହୋଇଆସିଛି। ସେଥିପାଇଁ ଏଇ ଚିନ୍ତାଧାରାକୁ ସ୍ପଷ୍ଟ ଭାବେ ବିରୋଧ କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri