ବର୍ଷେ ହେଲାଣି ଫଟା ପାଇପ୍‌ ମରାମତି ହେଉନି

ମାଲକାନଗିରି,୧୨।୫ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତର ଅମଳାବଟା ଗ୍ରାମରେ ବଢିବାରେ ଲାଗିଛି ଜଳ କଷ୍ଟ । ଗ୍ରାମରେ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ ବ୍ୟବସ୍ଥା ରହିଛି। ତେବେ ଏକ ବର୍ଷ ହେଲାଣି ଏହି ପାଇପ ଫାଟି ଯାଇଥିବାରୁ ଲୋକଙ୍କୁ ଆଉ ଠିକ ରୂପେ ପାନୀୟ ଜଳ ମିଳିପାରୁନାହିଁ । ପାଇପରେ ପାଣି ଆସୁଛି ହେଲେ ଫଟା ପାଇପ ଦେଇ ତାହା ମାଟିରେ ମିଶୁଛି । ଅନେକ ଥର ପାଇପ ଲାଇନ ମରାମତି ପାଇଁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ତାହା ହୋଇପାରିନାହିଁ । ଫଳରେ ବାଧ୍ୟ ହୋଇ ଲୋକେ ପାଇପର ଫାଟି ଯାଇଥିବା ସ୍ଥାନରେ ଏକ ଗାତ ଖୋଲି ଚୁଆ କରି ସେଥିରୁ ଜଳ ସଂଗ୍ରହ କରୁଛନ୍ତି । ଲୋକେ ଆବଶ୍ୟକ ଅନୁଯାୟୀ ପାଣି ପାଉ ନ ଥିବାରୁ ଗ୍ରାମଠାରୁ କିଛି ଦୂରରେ ଥିବା ନଦୀରୁ ପାନୀୟଜଳ ସଂଗ୍ରହ କରି ଚଳୁଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।