Categories: ଜାତୀୟ

ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…

ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ ଏଭଳି ରାୟ ଦେବା ସହିତ ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଜଣେ ଘର ମାଲିକଙ୍କ ପକ୍ଷରୁ ଭଡ଼ାଟିଆଙ୍କ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା।

ବିଚାରପତି ସଞ୍ଜିବ୍‌ ଖାନ୍ନା ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ଘରଭଡ଼ା ଦେଇ ନ ପାରିବା କୌଣସି ଦଣ୍ଡନୀୟ ଅପରାଧ ନୁହେଁ। ଘରଭଡ଼ା ନ ଦେଲେ ଆଇନଗତ ପଦକ୍ଷେପ ହୁଏତ ଗ୍ରହଣ କରାଯାଇ ପାରିବ। କିନ୍ତୁ ଏହାକୁ ଭାରତୀୟ ଦଣ୍ଡବିଧି ସଂହିତା-୧୮୬୦ ଅନ୍ତର୍ଗତ ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ଧୋକ୍କା ଦେବା ଅନ୍ତର୍ଗତ ଧାରା ୪୧୫ ଅବା ବେଆଇନ ଭାବେ ସମ୍ପତ୍ତିର ବ୍ୟବହାର ଅନ୍ତର୍ଗତ ଧାରା ୪୦୩ ଏକ୍ଷେତ୍ରରେ ଲାଗୁ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ସହିତ ଖଣ୍ଡପୀଠ ଏହି ମାମଲାର ଏଫ୍‌ଆଇଆର୍‌କୁ ଖାରଜ କରିଦେଇଛନ୍ତି।
ଏହା ପୂର୍ବରୁ ଆହ୍ଳାବାଦ ହାଇକୋର୍ଟ ଏହି ମାମଲାରେ ଭଡ଼ାଟିଆ ବିରୋଧରେ ଏଫ୍‌ଆଇଆର୍‌ ଖାରଜ କରିବାକୁ ମନା କରିଥିଲେ। ପରେ ଭଡ଼ାଟିଆ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share