Advertisement

ରାତିରେ ଦାନ୍ତ ନ ଘସିଲେ ହୋଇପାରେ ହୃଦ୍‌ରୋଗ

ଓ୍ବାଶିଂଟନ,୫ା୭: ସ୍ବାସ୍ଥ୍ୟ ହିଁ ସମ୍ପଦ। ଅସ୍ବାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ, ମାଦକ ଦ୍ରବ୍ୟ ସେବନ, ଶରୀରର ଯତ୍ନ ନ ନେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ବର୍ତ୍ତମାନ ସମୟରେ ମଧୁମେହ ଏବଂ ହୃଦ୍‌ଜନିତ ରୋଗ ସହିତ ଅନେକ ଲୋକ ସଂଘର୍ଷ କରୁଛନ୍ତି। ଆମେରିକାର ନେଚର ଜର୍ନାଲସ୍‌ ସାଇଣ୍ଟିଫିକ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାତିବେଳା ଦାନ୍ତ ନ ଘସିଲେ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
ଜାପାନର ଓସାକା ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୦ ବର୍ଷ ଏବଂ ଏହାଠାରୁ ଊର୍ଦ୍ଧ୍ୱ ବୟସ ବର୍ଗର ୧,୬୭୫ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ଷ୍ଟଡି ପାଇଁ ଉକ୍ତ ରୋଗୀଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍‌ ଏମ୍‌ଏନ୍‌ର ୪୦୯ ରୋଗୀ ସକାଳେ ଓ ରାତିରେ ଦାନ୍ତ ଘସୁଥିଲେ। ସେହିପରି ଗ୍ରୁପ୍‌ ନାଇଟ୍‌ର ୭୫୧ ଜଣ କେବଳ ରାତିରେ ଦାନ୍ତ ଘସୁଥିବାବେଳେ ଗ୍ରୁପ୍‌ ଏମ୍‌ର ୧୬୪ ରୋଗୀ କେବଳ ସକାଳବେଳା ଶୋଇକି ଉଠିବା ପରେ ଦାନ୍ତ ଘସୁଥିଲେ ଏବଂ ଗ୍ରୁପ୍‌ ନନ୍‌ର ୨୫୯ ଜଣ ରୋଗୀଙ୍କୁ ଆଦୌ ଦାନ୍ତ ଘସିବାକୁ ଦିଆଯାଉ ନ ଥିଲା। ଦାନ୍ତ ନ ଘସିବା ଯୋଗୁ ବ୍ୟାକ୍ଟେରିଆ ରକ୍ତରେ ମିଶି ଶରୀରସାରା ବ୍ୟାପିଯାନ୍ତି, ଯାହାଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟିହୁଏ। ଦିନକୁ ୨ ଓଳି କିମ୍ବା କେବଳ ରାତିରେ ଦାନ୍ତ ଘସିଲେ ଏ ପ୍ରକାର ସମସ୍ୟାକୁ ଦୂର କରିହେବ ତା’ ନୁହେଁ। ଖାଇବା ପରେ ଖାଦ୍ୟର କିଛି ଟୁକୁଡ଼ା ଦାନ୍ତ ସନ୍ଧିରେ ଜମା ହେବାରୁ ଦାନ୍ତରେ ଏକ ଆସ୍ତରଣ ପଡ଼ିଯାଏ। ଏଥିରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ନିୟମିତ ଦାନ୍ତ ଘସି ପାଟି ସଫା କରିବାର ଆବଶ୍ୟକତା ଅଛି। ଫଳରେ ହୃଦ୍‌ଜନିତ ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share