Categories: ମେଟ୍ରୋ

ଏ ଯାଏ ସରିଲାନି ଡ୍ରେନ୍‌ ସଫେଇ

ଭୁବନେଶ୍ୱର,୨୧।୬(ବନ୍ଦନା ସେଠୀ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚତ୍ ସାରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ବର୍ଷା ହେଉଛି। ମାତ୍ର ଏଯାଏ ମୌସୁମୀ ବର୍ଷା ଓ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି। ବିଏମ୍‌ସିର ମାଳମାଳ ଯୋଜନା, ବୈଠକ ଓ ନିର୍ଦ୍ଦେଶ ପରେ ବି ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଉପୁଜୁଛି। ଘରେ, ରାସ୍ତାରେ ଡ୍ରେନ୍‌ ପାଣି ଚାଲୁଛି। ଏପରିକି ଡ୍ରେନ୍‌ରେ ଭାସି ମୃତ୍ୟୁ ଘଟିବା ଭଳି ଘଟଣା ଘଟୁଛି। ଏବେ ବହୁ ଡ୍ରେନ୍‌ର ସଫେଇ କାମ ଆରମ୍ଭ ହୋଇ ନ ଥିବାବେଳେ ଆଉ କେତେକ ସ୍ଥାନରେ ଡ୍ରେନ୍‌ ସଫା ପରେ ସେହିଠାରେ ମାଟି, ପଙ୍କ ଆଦି ଗଦା ହୋଇ ରହିଛି। ପୁଣି ସଫେଇ ପରେ ସ୍ଲାବ୍‌ ପକାଯାଇ ନ ଥିବାରୁ ଡ୍ରେନ୍‌ ମୁକୁଳା ପଡିଛି। ବିଏମ୍‌ସିର ଅବହେଳା ପାଇଁ ଜଣେ ନାବାଳକର ଜୀବନ ଯିବା ପରେ ମଧ୍ୟ ଡ୍ରେନ୍‌ ସଫେଇ ହେଉ କି ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା କାମ ହେଉ କୌଣସି କଥାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଦେଖାଯାଇଛି। ଏପରିକି ଜୁନ୍‌ ୨୦ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌ ସଫା କରିବା ପାଇଁ ମେୟର ସୁଲୋଚନା ଦାସ ଗତ ୭ ତାରିଖ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‌ ତାହାକୁ ପାଳନ କରାଯାଇନାହିଁ। ଡ୍ରେନ୍‌ ସଫେଇ ପାଇଁ ୩୪ଟି ଏଜେନ୍ସିକୁ ନିୟୋଜିତ କରାଯାଇଥିବାବେଳେ ସେମାନେ ମେୟର, କମିଶନରଙ୍କ ନିର୍ଦ୍ଦେଶ ମାନୁ ନ ଥିବା ଏସବୁ ଘଟଣାରୁ ଜଣାପଡୁଛି।
ସହରରେ ଥିବା ମୋଟ୍‌ ୧୮୦୦ କି.ମି.ର ଡ୍ରେନ୍‌ ମଧ୍ୟରୁ କିଛି ବିଏମ୍‌ସ, ଏନ୍‌ଏଚ୍‌ଆଇ, ପିଡବ୍ଲ୍ୟୁଡି, ଇଡ୍‌କୋର ଡ୍ରେନ୍‌ ରହିଛି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଡ୍ରେନ୍‌ ସଫେଇ ହୋଇ ନ ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଏ। ସେତେବେଳେ ବିଏମ୍‌ସି, ଏନ୍‌ଏଚ୍‌ଆଇ ଏବଂ ଅନ୍ୟାନ୍ୟ ବିଭାଗ ଏଥିପାଇଁ ପରସ୍ପରକୁ ଦୋଷାରୋପ କରନ୍ତି। ତେଣୁ ଏହି ସମସ୍ୟାକୁ ଏଡାଇବା ପାଇଁ ଚଳିତ ବର୍ଷ ପ୍ରଥମ କରି ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ବିଏମ୍‌ସିକୁ ନିଜ ହାତକୁ ନେଇଥିଲା। ତେବେ ପୂର୍ବରୁ ଠିକ୍‌ ଭାବେ କାମ ଆରମ୍ଭ କରି ନ ଥିବାବେଳେ ବାହାଘର ବେଳେ ବାଇଗଣ ରୋଇବା ଭଳି ବର୍ଷା ଆସିବା ବେଳକୁ ଯଥାଶୀଘ୍ର କାମ ସାରିବା ପାଇଁ ସମୀକ୍ଷା ଏବଂ ତାଗିଦ୍‌ କରାଯାଇଥିଲା। ଏପରିକି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ନ ସରିଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମେୟର ଚେତାବନୀ ଦେଇଥିଲେ। ମାତ୍ର କାଲା ଆଗରେ ମୂଳା ଚୋବାଇବା ପରି ଏଜେନ୍ସିମାନଙ୍କ ଉପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ତାଗିଦ୍‌ କି ଚେତାବନୀର କୌଣସି ପ୍ରଭାବ ପଡୁନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିର ନିଜସ୍ବ ୧୩୮୦ କି.ମି. ଡ୍ରେନ୍‌ ମଧ୍ୟରୁ ୮୦% ସଫେଇ ହୋଇଥିବାବେଳେ, ପିଡବ୍ଲ୍ୟୁଡିର ୩୬୦କି.ମି. ଡ୍ରେନ୍‌ ମଧ୍ୟରୁ ୪୫% ସଫା ହୋଇଛି। ସେହିପରି ଏନ୍‌ଏଚ୍‌ଆଇ ଅନ୍ତର୍ଗତ ୩୪କି.ମି. ଡ୍ରେନ୍‌ ମଧ୍ୟରୁ ମାତ୍ର ୩୦% ସଫେଇ ହୋଇଛି। ସେହିପରି ୭୭କି.ମି. ବିଶିଷ୍ଟ ମୁଖ୍ୟ ନାଳ ମଧ୍ୟରୁ ୫୨କି.ମି. ସଫେଇ ହୋଇଛି। ସମ୍ପୂର୍ଣ୍ଣ ସଫେଇ କାମ ସାରିବା ପାଇଁ ଆଉ ସପ୍ତାହେ ସମୟ ଲାଗିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେହିପରି ବିଏମସି ଅଞ୍ଚଳରେ ମୋଟ୍‌ ୩୪ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ, ୧୨ଟି ପ୍ରମୁଖ ସ୍ଥାନରେ ଜଳବନ୍ଦୀ ସ୍ଥତି ଉପୁଜୁଛି। ସେହିପରି ୧୩୮୦ କି.ମି. ଡ୍ରେନ୍‌ ମଧ୍ୟରୁ ୨୭କି.ମି. ପର୍ଯ୍ୟନ୍ତ ଡ୍ରେନ୍‌ରେ ସ୍ଲାବ୍‌ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

Share