ଏରସମା,୨୯।୧୦(ଦୀପ୍ତି ରଞ୍ଜନ ଖଣ୍ଡୁଆଳ)୧୯୯୯ ମହାବାତ୍ୟାକୁ ରବିବାର ୨୪ ବର୍ଷ ପୂରିବ। ଏହା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେବି ସେଦିନର ସ୍ମୃତି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଜଗତ୍ସିଂହପୁର ଜିଲା ଏରସମାରେ ମହାବାତ୍ୟା କରାଳରୂପ ଧାରଣା କରିଥିଲା। ଫଳରେ ସେଠାକାର ଭୌଗୋଳିକସ୍ଥିତି ବଦଳି ଯାଇଥିଲା। ୩୫୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ରର ଲୁଣା ଜୁଆର ମାଡ଼ି ଆସିବାରୁ ଅନେକ ଘରଦ୍ୱାର, ଗଛଲତା ସବୁ ମାଟିରେ ମିଶିଯାଇଥିଲା। ସବୁଆଡେ ଖାଲି କୁଢ଼ କୁଢ଼ ମଣିଷ ଓ ଗୃହପାଳିତ ପ୍ରାଣୀମାନଙ୍କ ଶବ ଦେଖିବାକୁ ମିଳିଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଏରସମା ଶ୍ମଶାନ ପାଲଟିଯାଇଥିଲା। ସରକାରୀ ହିସାବ ଅନୁସାରେ ଏରସମା ବ୍ଲକର ୨୫ଟି ପଞ୍ଚାୟତରୁ ୧୦, ୦୦୦ଲୋକ ପ୍ରାଣ ହରାଇଥିବା ବେଳେ ୩୦,୦୦୦ ଗୃହ ପାଳିତ ପ୍ରାଣୀ ଓ ପକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ବ୍ଲକ ଅନ୍ତର୍ଗତ ଗଡ଼ ବିଶୁନିପୁର ପଞ୍ଚାୟତର ନାଳଭେଡି ଗ୍ରାମରୁ ୩୦୦ଜଣଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମରେ ବସବାସ କରୁଥିବା ୬୫ ପରିବାର ମଧ୍ୟରୁ ୫୪ ପରିବାରୁ କେହିନା କେହି ମୃତ୍ୟୁବରଣ କରିଥିଲେ। ୧୧ ପରିବାରର ସମସ୍ତ ସଦସ୍ୟ ନିଖୋଜ ହୋଇଯାଇଥିଲେ ବୋଲି ଗ୍ରାମ ମୁରବି ଚନ୍ଦନ କରଣଙ୍କ ସହ ଧନଞ୍ଜୟ ପାତ୍ର, ଶଙ୍କର ଦାସ, ନନ୍ଦଳାଲ ଭୌମିକ, ଚିତ୍ତରଞ୍ଜନ ମାଇତି ପ୍ରମୁଖ କହିଛନ୍ତି। ଚନ୍ଦନଙ୍କ ସ୍ତ୍ରୀଙ୍କୁ ଗୋଟିଏ ଦିନ ପରେ ଏକ ଖଜୁରି ଗଛ ନିକଟରୁ ଉଦ୍ଧାର କରାଯାଇଥିଲା। ଗ୍ରାମବାସୀ ସେଦିନରୁ ପ୍ରତିବର୍ଷ ଏକ ମାଟି ଚଉରା ସ୍ଥାପନ କରି ମହାବାତ୍ୟାରେ ମୃତକଙ୍କ ସ୍ମୃତି ଚାରଣ କରି ଆସୁଛନ୍ତି। ଅଞ୍ଚଳରେ ଏକ ବାତ୍ୟା ଆଶ୍ରୟସ୍ଥଳ ସ୍ଥାପନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଇତି ମଧ୍ୟରେ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପକ୍କା ଗୃହ ନିର୍ମାଣ, ରାସ୍ତାଘାଟ ପୁନରୁଦ୍ଧାର, ମହାବାତ୍ୟା ଆଶ୍ରୟ ସ୍ଥଳ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଆଦି ଗଢା ହୋଇଛି। ମାତ୍ର ପରିତାପର ବିଷୟ ସମୁଦ୍ରର ଲୁଣା ଜୁଆର ଅଟକାଇବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ। ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ୨୦୧୦ରେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସମୁଦ୍ର ଦର୍ଶନ କରିବାକୁ ଭିୟୁ ଟାୱାର ନିର୍ମାଣ କରାଯାଇଛି। ଭିୟୁ ଟାୱାରଠାରୁ ପୂର୍ବରୁ ସମୂଦ୍ର ୫୦ମିଟର ଦୂରରେ ଥିଲା। ମାତ୍ର ଏବେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ଘଟିଛି। ଲୁଣା ଜୁଆର ମାଡ଼ରେ ଭିୟୁ ଟାୱାରର ମୂଳଦୁଆ ଭୁଶୁଡ଼ି ଗଲାଣି। ପ୍ରଶାସନ ପକ୍ଷରୁ ପଥର, ତାର ଜାଲି ଓ ବାଲିବସ୍ତା ଦିଆଯାଇ ସମୁଦ୍ର ଜୁଆରକୁ ସାମୟିକ ଭାବରେ ରୋକିବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇ ନାହିଁ। ଉପକୂଳ ସୁରକ୍ଷା ସମିତିର ସଭାପତି ଅରୁଣ କୁମାର ବେହେରାଙ୍କ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।