ଢେଙ୍କାନାଳ ଅଫିସ, ୨୮ା୪(ରତନ ନାୟାର): ଅନୁଗୋଳ ଜିଲା ବ୍ରାହ୍ମଣୀ ନଦୀରେ ୧୯୯୫ରେ ସମଲ ବ୍ୟାରେଜ ନିର୍ମାଣ ପରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାର ଚାଷୀଙ୍କ ଜମିକୁ ଜଳ ଯୋଗାଇଦେବା ଲାଗି କରାଯାଇଥିଲା ଯୋଜନା। ତଦନୁଯାୟୀ ବ୍ରାହ୍ମଣୀର ବାମ ପାର୍ଶ୍ୱରେ ବାମ କେନାଲ ଏବଂ ଦକ୍ଷିଣ ପାର୍ଶ୍ୱରେ ଦକ୍ଷିଣ କେନାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁଇ ବୃହତ୍ ଜଳସେଚନ ପ୍ରକଳ୍ପ ଦ୍ୱାରା ନଦୀ ତଟବର୍ତ୍ତୀ ସମ୍ପୃକ୍ତ ୪ ଜିଲାର ଜମିକୁ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା। ହେଲେ ଦୀର୍ଘ ୨୮ ବର୍ଷ ଅତିକ୍ରାନ୍ତ ପରେ କେନାଲ କାର୍ଯ୍ୟ ଶେଷ ହେଉନାହିଁ। ସମଲ ବ୍ୟାରେଜରୁ କଟକ ଜିଲା ନରସିଂହପୁର ଯାଏ ୧୯୨ କିଲୋମିଟର ମଧ୍ୟରୁ ଢେଙ୍କାନାଳ ଜିଲା ମଧୁସାହୁପାଟଣା ପର୍ଯ୍ୟନ୍ତ ମାତ୍ର ୧୨୫ କିଲୋମିଟର କାମ ହୋଇଛି। ଅବଶିଷ୍ଟ ୬୭ କିଲୋମିଟର କେନାଲ ଖନନ ହେବାକୁ ବାକି ଅଛି। ଇତିମଧ୍ୟରେ ଖର୍ଚ୍ଚ ଅଟକଳ ରାଶି ୪ ଗୁଣା ବଢ଼ିସାରିଥିବାବେଳେ ପ୍ରକଳ୍ପ କେବେ ପୂର୍ଣ୍ଣାଙ୍ଗ ହେବ ତାହାର ଉତ୍ତର କାହା ପାଖରେ ନାହିଁ।
ଅନୁଗୋଳ ଜିଲାର ସମଲ ବ୍ୟାରେଜରୁ ଆରମ୍ଭ ହୋଇଥିବା ରେଙ୍ଗାଳି ଦକ୍ଷିଣ କେନାଲ ଢେଙ୍କାନାଳ, ଯାଜପୁର ଜିଲା ଦର୍ପଣୀ ଏବଂ କଟକ ଜିଲାର ନରସିଂହପୁର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରାରମ୍ଭିକ ସର୍ଭେରୁ ରେଙ୍ଗାଳି ଦକ୍ଷିଣ ମୁଖ୍ୟ କେନାଲ ଏବଂ ଶାଖା କେନାଲ ମାଧ୍ୟମରେ ସମ୍ପୃକ୍ତ ୪ ଜିଲାର ୧ ଲକ୍ଷ ୨୧ ହଜାର ୨୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଢିପ ଜମିକୁ ଏଥିରୁ ବାଦ୍ ଦିଆଯାଇଥିଲା ଏବଂ ୮୪,୪୦୬ ହେକ୍ଟରକୁ ସିଧାସଳଖ ଜଳସେଚନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା। ତନ୍ମଧ୍ୟରେ ଅନୁଗୋଳ ଜିଲାର ୨,୩୯୭ ହେକ୍ଟର, ଢେଙ୍କାନାଳ ଜିଲାର ୩୩,୧୧୫ ହେକ୍ଟର, ଯାଜପୁର ଜିଲାର ୧୨,୯୫୮ ହେକ୍ଟର ଓ କଟକ ଜିଲାର ୩୫,୯୩୬ ହେକ୍ଟର ଜମି ଅନ୍ତର୍ଭୁକ୍ତ। ଉଚ୍ଚ ସ୍ଥାନରେ ଥିବା ଜମିକୁ ଉଠାଜଳସେଚନ ମାଧ୍ୟମରେ ପାଣି ପହଞ୍ଚାଇବାକୁ ଯୋଜନା କରାଯାଇଥିଲା। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୭୩୮.୨୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ପ୍ରକଳ୍ପର କଚ୍ଛପ ଗତି ପାଇଁ ୨୮ ବର୍ଷ ମଧ୍ୟରେ ଏହା ବୃଦ୍ଧିପାଇ ୨୦୨୩ ସୁଦ୍ଧା ୨୯୫୨.୨୧୭୯ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଏହାର ପରିକଳ୍ପନା କରାଯାଇଥିଲା, ତାହା ଅଦ୍ୟାବଧି ପୂରଣ ହୋଇପାରି ନ ଥିବା ଅଭିଯୋଗ ହେଉଛି।
କେନାଲ ନିର୍ମାଣ ବିଳମ୍ବ ପାଇଁ ଯେଉଁ କେତେକ ମୁଖ୍ୟ କାରଣ ସାମ୍ନାକୁ ଆସିଛି, ସେଥିରୁ ପ୍ରମୁଖ ହେଉଛି ଜଙ୍ଗଲ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ। ଜଟିଳ ଜଙ୍ଗଲ ଜମି ଆଇନ ଯୋଗୁ ଅନେକ ସ୍ଥାନରେ କେନାଲ ଖୋଳାଇବାରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ବିଭିନ୍ନ ସମୟରେ ଯନ୍ତ୍ରୀମାନେ ଲାଞ୍ଚ ନେଇ ଧରାପଡ଼ିବା ନଜିର ରହିଛି। ନିମ୍ନମାନର କାମ ଯୋଗୁ କେନାଲ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୈଷୟିକ ଦୃଷ୍ଟିକୋଣରୁ ବନ ବିଭାଗ ସହିତ ସମନ୍ବୟ ରଖି କାର୍ଯ୍ୟ ହେବା କଥା। ହେଲେ ଏହା କରା ନ ଯାଇ ହାତୀ ଚଲାପଥ ଅବରୋଧ କରି କେନାଲ ନିର୍ମାଣ ହୋଇଥିବାରୁ ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଉଗ୍ରରୂପ ନେଇଛି। ଏହାକୁ ବାଦ୍ଦେଲେ ଢିପ ଜମିକୁ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ହେବ ବୋଲି ଚାଷୀଙ୍କୁ ଯେଉଁ ସ୍ବପ୍ନ ଦେଖାଯାଇଥିଲା, ତାହା ମଧ୍ୟ ଅଧୁରା ରହିଛି। ଏହାକୁ ନେଇ ଢେଙ୍କାନାଳ, ଆଠଗଡ଼, ନରସିଂହପୁର ଅଞ୍ଚଳରେ ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି। ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ୪ ଜିଲାରେ ନିୟମିତ ସମୀକ୍ଷା ହେଉ ନ ଥିବାରୁ ସମସ୍ୟା ଜଟିଳ ରୂପ ଧାରଣ କରିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ଚାଷୀ ସନ୍ତୋଷ କୁମାର ସ୍ବାଇଁ ଓ ମଣ୍ଡାପାଳ ଗ୍ରାମର ଚାଷୀ ସର୍ବେଶ୍ୱର ବ୍ରହ୍ମ କୁହନ୍ତି, କେବଳ ବର୍ଷାଦିନେ ଦୁଇମାସ କେନାଲରେ ପାଣି ରହୁଛି। ଅନ୍ୟଦିନେ ଶୁଖିଲା ପଡୁଥିବାରୁ ରେଙ୍ଗାଳି କେନାଲ ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଛି। ରେଙ୍ଗାଳି ଦକ୍ଷିଣ କେନାଲ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ କୁହନ୍ତି, ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବା ପଛରେ ଅନେକ ସମସ୍ୟା ରହିଛି। ସେସବୁ କହିହେବନି। ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ବନ ବିଭାଗ ନିକଟରେ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଚିଠି ମାଧ୍ୟମରେ ମଧ୍ୟ ଜଣାଯାଇଛି। ତେଣୁ ଏ ବିଷୟରେ କହିବା ଠିକ ହେବନାହିଁ । ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ଢେଙ୍କାନାଳ ଜିଲା ସମେତ ଅଧିକ ୨୭.୫ କିଲୋମିଟର ଅଞ୍ଚଳରେ ଯେପରି ପାଣିମାଡ଼ିବ, ସେଥିଲାଗି ଚେଷ୍ଟା ଜାରି ରହିଥିବା ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।