Categories: ଜାତୀୟ

‘ବାସହୀନଙ୍କୁ ସବୁ ମାଗଣା ଦେଇହେବ ନାହିଁ’

ମୁମ୍ବାଇ, ୪।୭: ବାସହୀନ ଲୋକଙ୍କୁ ସବୁକିଛି ମାଗଣାରେ ସରକାର ଯୋଗାଇ ପାରିବେ ନାହିଁ। ସେମାନଙ୍କୁ ଦେଶ ପାଇଁ କିଛି କରିବା ସହ ନିଜର ଆବଶ୍ୟକତା ପୂରଣ କରିବାର ଅଛି। ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁମ୍ବାଇ ବ୍ରିହାନ ଅଞ୍ଚଳରେ ରହୁଥିବା ବାସହୀନ ଲୋକଙ୍କୁ ଦୈନିକ ପୁଷ୍ଟିକର ଖାଦ୍ୟ ଏବଂ ପାନୀୟ ଜଳ ଏପରିକି ଶୌଚାଳୟ ବ୍ୟବସ୍ଥା ଯୋଗାଇଦେବାକୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମୁଖ୍ୟବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଜି.ଏସ୍‌. କୁଲ୍‌କର୍ନୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ଯଦି କୌଣସି କାମ ନ କରି ବାସହୀନ ଲୋକଙ୍କୁ ସବୁ କିଛି ଯୋଗାଇ ଦିଆଯିବ ତେବେ ସେମାନଙ୍କ ସଂଖ୍ୟା ସମାଜରେ ବୃଦ୍ଧି ପାଇଯିବ ବୋଲି କହିଛନ୍ତି।
ଆଇନଜୀବୀ ବ୍ରଜେଶ ଆର୍ଯ୍ୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ସହରରେ କିଏ ବାସହୀନ, ସେମାନଙ୍କ ସଂଖ୍ୟା କେତେ, ସେମାନଙ୍କୁ କ’ଣ ସବୁ ସୁବିଧା ଦିଆଯିବା କଥା ଏବଂ କ’ଣ ଦିଆଯାଉ ନାହିଁ, ସେନେଇ ବିସ୍ତୃତ ବିବରଣୀ ଆବେଦନରେ ଉଲ୍ଲେଖ କରାଯାଇ ନାହିଁ। ଅପରପକ୍ଷରେ ସରକାର, ମହାନଗରନିଗମ କର୍ତ୍ତୃପକ୍ଷ ଏବଂ ଏନ୍‌ଜିଓ ମିଳିମିଶି ବାସହୀନ ଏବଂ ଗରିବଙ୍କୁ ଖାଦ୍ୟପୁଡ଼ିଆ, ମହିଳାଙ୍କୁ ସାନିଟାରି ନାପ୍‌କିନ ବଣ୍ଟନ କରୁଥିବା ଖଣ୍ଡପୀଠଙ୍କ ନିକଟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ ମହାମାରୀ ସମୟରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ବାଗତ କରାଯାଇଛି।

Share