କାର୍ଯ୍ୟକ୍ଷମ ହେଉନି ଭେଣ୍ଡିଂ ଜୋନ୍‌, ଅନିଶ୍ଚିତତା ମଧ୍ୟରେ ଉଠା ଦୋକାନୀ

ଗଞ୍ଜାମ,୧୪।୧୨(ଡି.ଏନ.ଏ.): ବଜାର ବଣିକ ସଂଘର ଦୀର୍ଘ ବର୍ଷ ଦାବି ପରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବଡ ବଜାର ଏବଂ ସାନ ବଜାରଠାରେ ପ୍ରାୟ ୧୮ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛିl ହେଲେ ନିର୍ମାଣ କାର୍ଯ୍ୟ ସରିବାର ସାତ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏଯାବତ୍‌ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯାହାକୁ ନେଇ ଉଠା ଦୋକାନୀ ଏବଂ ସଂଘ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭେଣ୍ଡିଂ ଜୋନ୍‌ ମିଳିବାରେ ବିଳମ୍ବ ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଉଠା ପରିବା ଦୋକାନୀ କହିଛନ୍ତି l କେବେ ମିଳିବ ତାହା ଅନିଶ୍ଚିତତା ମଧ୍ୟରେ ଥିବା ସେମାନେ ଅଭିଯୋଗ କରିଛନ୍ତି l ଏ ନେଇ ଏନ୍‌ଏସି ବିଜେଡି ଯୁବସଭାପତି ତଥା ସାନ ବଜାର ବଣିକ ସଂଘ ସଭାପତି ସୁଧୀର କୁମାର ପାଢ଼ୀ କହିଛନ୍ତି, ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ କେଉଁ ଦୋକାନୀଙ୍କୁ ପ୍ରଦାନ କରାଯିବ ତାହା ମଧ୍ୟ ଚିଠା ପ୍ରସ୍ତୁତି ହୋଇସାରିଛି l ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି l