Categories: ଜାତୀୟ

‘ପାଳି ସରକାର କଥା ଉଠୁ ନାହିଁ’

ନୂଆଦିଲ୍ଲୀ,୨୭।୮: “ ପାଳି ସରକାର କଥା ଉଠୁ ନାହିଁ। ମୋ ସପକ୍ଷରେ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପି ଏଲ ପୁନିଆ ଅଛନ୍ତି। ମୋର ଯାହା କହିବାର ଥିଲା, ତାହା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କହିଛି। ଦଳର ସ୍ଥିତି ଦେଖିବା ପାଇଁ ସେ ଛତିଶଗଡ଼ ଗସ୍ତରେ ଆସିବେ। ଆଉ ମୁଁ କୁଆଡ଼େ ଯାଉ ନାହିଁ”। ଦିଲ୍ଲୀରେ ରାହୁଲଙ୍କ ସହ ଦୀର୍ଘ ୩ ଘଣ୍ଟାର ବୈଠକ ପରେ ଏହା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ବୈଠକରେ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ସପ୍ତାହରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ସହିତ ଦ୍ୱିତୀୟ ବୈଠକରେ ନିଜ ଶକ୍ତି ପ୍ରଦର୍ଶନ କରିବା ଲାଗି ବାଘେଲ ୫୦ ବିଧାୟକଙ୍କୁ ଦିଲ୍ଲୀ ଆଣି ଆସିଥିଲେ।

ମୁଖ୍ୟମନ୍ତ୍ରୀ ଗାଦି ପାଇଁ ବରିଷ୍ଠ ନେତା ଟି ଏସ୍‌ ସିଂ ଦେଓଙ୍କ ଦାବି ଛତିଶଗଡ଼ କଂଗ୍ରେସରେ ସଙ୍କଟ ସୃଷ୍ଟି କରିଛି। ଗତ ଜୁନରେ ବାଘେଲଙ୍କ କାର୍ଯ୍ୟାକାଳର ଅଧା ଶେଷ ହୋଇଛି। ଏବେ ଅନ୍ୟତମ ବରିଷ୍ଠ ନେତା ସିଂ ଦେଓ ମୁଖ୍ୟମନ୍ତ୍ରୀଙ୍କ ଗାଦିରେ ବସିବାକୁ ଚାହୁଁଛନ୍ତି। ତାଙ୍କ ଦାବି ହେଲା, ୨୦୧୮ରେ ସରକାର ଗଢ଼ିଲା ବେଳେ ପାଳି କରି ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା।

Share