(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ)
ଓ୍ବାଶିଂଟନ୍,୧୪।୬: ବାହାର ଦେଶ ବା ରାଜ୍ୟକୁ କୌଣସି କାମରେ କିମ୍ବା ଭ୍ରମଣ ଉଦ୍ଦେଶ୍ୟରେ ଗଲେ ସେଠାକାର ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜରୁରୀ। ନୂଆ ଜାଗା ସମ୍ପର୍କରେ ଜାଣିବା ଲାଗି ସେହି ସ୍ଥାନର ଲୋକ ହିଁ ସାହାଯ୍ୟ କରନ୍ତି। ଏହାଦ୍ୱାରା ସେଠାରେ ରହିବା ସାଙ୍ଗକୁ ସେମାନଙ୍କ ଚାଲିଚଳଣି ବିଷୟରେ ଜାଣିବା ସହଜ ହୁଏ। ବାହାର ଲୋକଙ୍କ ସହ ମିତ୍ରତା ସ୍ଥାପନରେ ବିଶ୍ୱର କେଉଁ ସହର ଆଗ୍ରହୀ ଏବଂ କେଉଁ ସହର ଅବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରୁଛି ସେ ନେଇ ଆମେରିକୀୟ ଇ-ଲର୍ନିଂ କମ୍ପାନୀ ପ୍ରେପଲି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସର୍ଭେ ମୁତାବକ ଭାରତର କୌଣସି ସହର ମିତ୍ରତା ସ୍ଥାପନ ସୂଚୀରେ ନାହିଁ। ମିତ୍ରତାହୀନ ସମ୍ବନ୍ଧ ସ୍ଥାପନ ତାଲିକାରେ ଦିଲ୍ଲୀ ଓ ମୁମ୍ବାଇ ସାମିଲ ଅଛି। ମୁମ୍ବାଇର ମାତ୍ର ୧୨% ଲୋକ ବନ୍ଧୁତ୍ୱ ଗଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାବେଳେ ଦିଲ୍ଲୀର ୧୭% ଲୋକ ଏ ନେଇ ଆଗ୍ରହୀ।
ପକ୍ଷରୁ କରାଯାଇଥିବା ‘ଦ କମ୍ୟୁନିଟି ସ୍ପିରିଟ ଇନ୍ଡେକ୍ସ: ଦ ଓ୍ବାଲର୍ଡସ୍ ଫ୍ରେଣ୍ଡଲିଏଷ୍ଟ ସିଟିଜ୍ ଫର୍ ନନ୍ ନେଟିଭ୍’ସର୍ଭେରେ ବିଶ୍ୱବ୍ୟାପୀ ୫୩ ସହର ବାହାର ଲୋକଙ୍କ ସହ ମିତ୍ରତା ସ୍ଥାପନ ପାଇଁ ଆଗ୍ରହୀ। ପର୍ଯ୍ୟଟକଙ୍କ ଫେରିବା ଅନୁପାତ, ସୁରକ୍ଷା ବ୍ୟବସ୍ଥା, ସମଲିଙ୍ଗୀଙ୍କୁ ସମାନତା, ସାଧାରଣ ଭାଷାରେ ବାର୍ତ୍ତାଳାପ ଓ କର୍ମଚାରୀଙ୍କ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ଭିତ୍ତିକରି ଏହି ସର୍ଭେ କରାଯାଇଛି।
ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିବା ଦିଗରେ କାନାଡାର ଟରଣ୍ଟୋ ଓ ଅଷ୍ଟ୍ରେଲିଆର ସିଡ୍ନୀ ଅଧିକ ଆଗ୍ରହୀ। ସର୍ଭେ ରିପୋର୍ଟ ଅନୁସାରେ ମୋଟ ୧୦ରୁ ସେମାନଙ୍କ ସ୍କୋର ୭.୯୭ ରହିଛି। ସେହିପରି ଘାନାର ଆକ୍ରାର ସର୍ବନିମ୍ନ ୩.୧୨ ସ୍କୋର ଥିବାବେଳେ ମରୋକ୍କର ସ୍କୋର ୩.୬୯। ଅନ୍ୟପକ୍ଷେ ବାହାର ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁ ନ ଥିବା ତାଲିକାରେ ମୁମ୍ବାଇ, କୁଏଲାଲମ୍ପୁର, ରିଓ ଡେ ଜେନିରୋ ଏବଂ ଦିଲ୍ଲୀ ରହିଛି। ବିଶ୍ୱରେ ଏପରି କିଛି ସହର ରହିଛି, ଯେଉଁଠାର ଲୋକମାନେ ବାହାର ଲୋକଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ପରାମର୍ଶ ଲୋଡୁଥିବା ଦେଖିବାକୁ ମିଳିଛି।