କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ ଚିନ୍ତା କରିବା କଥା। ୨୦ ଫେବୃୟାରୀରେ ନୀତି ଆୟୋଗ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେବା ପରେ ତାହା ରାଜନୈତିକ ପରିମଣ୍ଡଳରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ନବୀନ କେଉଁ ଦଳକୁ ଇଙ୍ଗିତ କରି କହିଛନ୍ତି ତାହା ବେଶ୍‌ ବୁଝାପଡୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ସମୟ ଧରି ନବୀନ ପଟ୍ଟନାୟକ କୌଣସି ରାଜନୈତିକ ମନ୍ତବ୍ୟ ଦେଉ ନ ଥିଲେ। ଅପରପକ୍ଷରେ ଫେବୃୟାରୀ ୯ରେ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଦୁଇଗୁଣା କରିବା ଲାଗି କେନ୍ଦ୍ର ପାଖରେ ଦାବି ଏବଂ ୨୦୧୯ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିବା କାଳିଆ ଯୋଜନାକୁ ୧,୨୭୨ କୋଟି ଟଙ୍କା ଦେଇ ପୁନର୍ଜୀବିତ କରାଇବା ଫଳରେ ବୁଝାପଡୁଛି ଯେ, କୃଷକଙ୍କ ସମର୍ଥନରେ ରହିଛନ୍ତି ବୋଲି ନବୀନ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି।
ଦେଖାଯାଉଛି ଯେ, ଅନ୍ୟ ରାଜନୈତିକ ଦଳ ସହ ଜଡ଼ିତ ଥିବା ଲୋକଙ୍କୁ ଶାସକ ଦଳ ନେତାମାନେ ହଇରାଣ ହରକତ କରିଥାଆନ୍ତି। ଏବେକାର ସ୍ଥିତିରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଇରାଣ କରାଯିବା ନୁହେଁ, ସାଧାରଣ ନାଗରିକ, ଛାତ୍ରୀଛାତ୍ର, ପ୍ରତିବାଦକାରୀ, ସାମାଜିକ କର୍ମୀଙ୍କୁ ମଧ୍ୟ ପୋଲିସ ଜୁଲମ, ପିଟିକରି ମାରିଦେବା ଏବଂ କୋର୍ଟ ମାଧ୍ୟମରେ ଦଣ୍ଡିତ କରାଯାଉଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ ନବୀନ ସହଯୋଗପୂର୍ଣ୍ଣ ସଂଘୀୟବାଦ (କୋଅପରେଟିଭ୍‌ ଫେଡ୍‌ରାଲିଜମ୍‌) ସମ୍ପର୍କରେ ଉଲ୍ଲେଖ କରି ଅନେକ ଦିଶାକୁ ଇଙ୍ଗିତ କରିଛନ୍ତି। କେତେକ ମହଲରେ ଆଲୋଚନା କରାଯାଉଛି ଯେ, ରାଜ୍ୟ ସରକାରଙ୍କ ହାତଗୋଡ଼ ବାନ୍ଧିଦେବା କେନ୍ଦ୍ର ପାଇଁ ଅତି ସହଜ ହୋଇପଡୁଛି। ଉଦାହରଣ ସ୍ବରୂପ, କରୋନା ପାଣ୍ଡେମିକ୍‌ ସମୟରେ ଜିଏସ୍‌ଟି ଅଂଶ ହସ୍ତାନ୍ତର ବନ୍ଦ କରିଦେଇ ରାଜ୍ୟଗୁଡ଼ିକୁ ସ୍ଥାଣୁ କରିଦିଆଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକୁ ଋଣ ଉଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଠାରେ ମନେପକାଇ ଦିଆଯାଇପାରେ, କେନ୍ଦ୍ର ଠୁଳ କରୁଥିବା ଅର୍ଥ ହେଉଛି କରଦାତାଙ୍କର। କେବଳ ଆୟକରଦାତାଙ୍କୁ କରଦାତାର ଆଖ୍ୟା ଦେବା ଅନୁଚିତ ହେବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଣାବିକାରେ ଟିକସ ଦେଉଥିବା ପ୍ରତ୍ୟେକ ନାଗରିକ ଟିକସଦାତାଭାବେ ନିଜକୁ ଚିନ୍ତା କରିବା ଦରକାର। ସେଥିପାଇଁ ଭାରତରେ ଥିବା ସହଯୋଗପୂର୍ଣ୍ଣ ସଂଘୀୟବାଦକୁ ସୁଦୃଢ଼ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ନବୀନଙ୍କ କଥାରୁ ଏହା ବୁଝାପଡୁଛି ଯେ, ଓଡ଼ିଶା ସରକାରଙ୍କର ମଧ୍ୟ ହୁଏତ ଭିତିରି ଅପଡ଼ କେନ୍ଦ୍ର ସହିତ ଆରମ୍ଭ ହେଲାଣି।
ଭୋଟ୍‌ ରାଜନୀତି ସର୍ବୋଚ୍ଚରେ ରହୁଥିବାରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକ ସୁସ୍ଥ ଗଣତନ୍ତ୍ର ସକାଶେ ଏହା ଆଦୌ ଶୁଭଙ୍କର ନୁହେଁ। ଗୋଟିଏପଟେ ନବୀନଙ୍କ କଥାକୁ ପ୍ରଶଂସା କଲାବେଳକୁ ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରିବା ଦରକାର। ଆମେରିକା ଭଳି ଭାରତ ଦୁଇ ଦଳ ମଧ୍ୟରେ ସୀମିତ ନୁହେଁ। ଅଧିକାଂଶ ରାଜ୍ୟରେ ଆଞ୍ଚଳିକ ଦଳ ଥିବାବେଳେ ଜାତୀୟ ଦଳଙ୍କ ପ୍ରଭାବ ମଧ୍ୟ ହ୍ରାସ ପାଉଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ ନିର୍ବାଚନୀ ବାତାବରଣ ସବୁବେଳେ ରହୁଛି। ସେଥିପାଇଁ ସବୁ ଦଳ ମଧ୍ୟରେ ତିକ୍ତତା ଲାଗିରହୁଛି। ଏଭଳି ବାତାବରଣରେ ବିକାଶ ଘଟିବା ସମ୍ଭବପର ହେଉନାହିଁ, ଯାହା ହେଉଛି ସମୁଦ୍ରକୁ ଶଙ୍ଖେ। ଏହାର ଅର୍ଥ ନୁହେଁ ଯେ, ଭାରତରେ ଏକ ସମୟରେ ସବୁ ନିର୍ବାଚନ ହେଲେ ସମସ୍ୟାର ସମାଧାନ ହେବ। ଏଥିସହିତ ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ, ସବୁ ଦଳ ସବୁ ପ୍ରସଙ୍ଗରେ ଗୋଟିଏ ମତ ରଖିବେ। ସେଥିପାଇଁ କେବଳ ଦଳ କଥା ଚିନ୍ତା କରିବାକୁ ଛାଡ଼ି ନେତାମାନେ ସାମୂହିକ ମଙ୍ଗଳର ଭାବନା ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri