ପିଏମ୍‌ ଆବାସ ନୁହେଁ, ଦେଶକୁ ଆବଶ୍ୟକ ନିଶ୍ୱାସର ଜୀବନ ଧାରା: ରାହୁଲ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନା ନେଇ ବିବାଦ ଆରମ୍ଭ ହୋଇ ଯାଇଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ଦେଶକୁ ପ୍ରଧାନମନ୍ତ୍ରୀ(ପିଏମ୍‌) ଆବାସର ଆବଶ୍ୟକତା ନାହିଁ। ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସହିତ ଅନ୍ୟ ରୋଗୀ ଅକ୍ସିଜେନ୍‌ ପାଇଁ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଏହି ସଙ୍କଟ ସମୟରେ ଦେଶକୁ ନିଶ୍ୱାସର ଜୀବନ ଧାରା ଆବଶ୍ୟକ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନା କାର୍ଯ୍ୟ ଜାରି ରହିଛି। ତେବେ କରୋନା ମହାମାରୀ ଯୋଗୁ ଏହାକୁ ରୋକିବା ଦାବି ଜୋର୍‌ଦାର ହେବାରେ ଲାଗିଛି। ଏନେଇ ଶୁକ୍ରବାର ରେ ହୋଇଥିବା ଏକ ଆବେଦନର ଶୁଣାଣି ହୋଇଛି। ଆବେଦନକାରୀ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନାକୁ ସାମ୍ପ୍ରତିକ ସ୍ଥିତିରେ ବନ୍ଦ କରିବା ନେଇ ଆବେଦନରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ରାଜପଥ ଉପରେ ୨.୫ କିଲୋମିଟର ରାସ୍ତାକୁ ସେଣ୍ଟ୍ରାଲ ଭିଷ୍ଟା କୁହାଯାଉଛି। ଇଣ୍ଡିଆ ଗେଟ୍‌ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ମଧ୍ୟରେ ଏହି ମାର୍ଗରେ ୪୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂ ରହିଛି। ସେଥିରେ ସଂସଦ ଭବନ, ନର୍ଥ ବ୍ଲକ୍‌, ସାଉଥ୍‌ ବ୍ଲକ୍‌ ମଧ୍ୟ ରହିଛି। ଏହି ଜୋନ୍‌ର ରି-ପ୍ଲାନ୍‌ କରାଯାଉଛି। ଏହାକୁ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନା କୁହାଯାଉଛି। ଏଥିରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

Share