ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌…

ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ ବକ୍ସିଂରୁ ଅବସର ନେଇ ନାହାନ୍ତି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ମେରି କମ ବକ୍ସିଂରୁ ଅବସର ନେଇଛନ୍ତି। ବର୍ତ୍ତମାନ ସେ ନିଜେ ଏହି ସମସ୍ତ ଖବରକୁ ମିଥ୍ୟା ବୋଲି କହି ସମସ୍ତ ଚର୍ଚ୍ଚାକୁ ସମାପ୍ତ କରିଛନ୍ତି ।

ନ୍ୟୁଜ ଏଜେନ୍ସି ଅନୁଯାୟୀ, ତାଙ୍କ ଅବସର ଖବର ଉପରେ ସେ କହିଛନ୍ତି ମୋ ମନ୍ତବ୍ୟକୁ ଭୁଲ ଭାବେ ଦର୍ଶାଯାଇଛି। ମୁଁ ଏପର୍ଯ୍ୟନ୍ତ ମୋର ଅବସର ଘୋଷଣା କରି ନାହିଁ। ଯେଉଁ ଦିନ ମୁଁ ମୋର ଅବସର ଘୋଷଣା କରିବି, ମୁଁ ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିବି। ଗତକାଲି ମୋର ଅବସର ଖବର ମୁଁ ଦେଖିଲି, ଯାହା ସତ୍ୟ ନୁହେଁ ।

ମୁଁ ଜାନୁଆରୀ ୨୪ ରେ ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଯେଉଁଠାରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେଇଥିଲି । ଏହି ସମୟ ମଧ୍ୟରେ, ପିଲାମାନଙ୍କୁ କହିଥିଲି ବକ୍ସିଂରେ ସଫଳତା ହାସଲ କରିବାକୁ ମୋର କ୍ଷୁଧା ଅଛି କିନ୍ତୁ ସମୟସୀମା ଯୋଗୁ ମୁଁ ଆଉ ଅଲିମ୍ପିକ୍ସରେ ଭାଗ ନେଇ ପାରିବି ନାହିଁ। ମୁଁ ତଥାପି ମୋର ଫିଟନେସ ଉପରେ ଧ୍ୟାନ ଦେଉଛି ଏବଂ ସମସ୍ତଙ୍କ ସାମ୍ନାରେ ମୋର ଅବସର ଘୋଷଣା କରିବି ।

ସୂଚନାଯୋଗ୍ୟ. ମେରି କମ ସାରା ବିଶ୍ୱରେ ଭାରତୀୟ ମହିଳା କୁସ୍ତି ପାଇଁ ଗୌରବ ଆଣିଛନ୍ତି। ସେ ୬ ଥର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ୨୦୦୫, ୨୦୦୬, ୨୦୦୮, ୨୦୧୦, ୨୦୧୨ ଏବଂ ୨୦୧୮ ରେ ବିଶ୍ୱ ଚାମ୍ପିଅନଶିପ ଟାଇଟଲ ଜିତିଥିଲେ। ଏହା ସହିତ ସେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି। ୨୦୧୨ ଅଲିମ୍ପିକ ଗେମ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।

 

 

 

 

 

Share