ସୋଢ଼ା ଡ୍ରିଙ୍କ୍ସ ନୁହେଁ, ଜାଣନ୍ତୁ ଖରାଦିନେ ଶୋଷ ମେଣ୍ଟାଇବାକୁ କ’ଣ ପିଇବେ…

ଖରାଦିନେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ଡ୍ରିଙ୍କ୍ସ ପିଇବାକୁ ଭଲ ପାଇଥାନ୍ତି। କିନ୍ତୁ ଏହା ଶରୀର ପକ୍ଷେ ଆଦୌ ହିତକର ନୁହେଁ। ତେଣୁ ଏଠାରେ ସେମିତି କେତୋଟି ଉପକାରୀ ପାନୀୟ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯାହାକୁ ପିଇଲେ ଖରାଦିନେ ଶୋଷ ମେଣ୍ଟିବା ସହ ଶରୀରକୁ ଉତ୍ତମ ପୋଷଣ ମଧ୍ୟ ମିଳିପାରିବ। ଯେମିତିକି: ପଇଡ଼ ପାଣି- ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌ ଓ ଖଣିଜ ପଦାର୍ଥ ଥିବାରୁ, ଏହାକୁ ପିଇଲେ ଖରାଦିନେ ଶରୀରରେ ଜଳୀୟଅଂଶ ଠିକ୍‌ଠାକ୍‌ ରହିବା ସହ ଥକ୍କାପଣ ଦୂର ହୋଇଯାଏ। ପେଟ ମଧ୍ୟ ଥଣ୍ଡା ରହିଥାଏ। ଲେମ୍ବୁ ପାଣି- ଏଥିରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ଥାଏ। ଖରାଦିନେ ଏହାକୁ ପିଇଲେ ଶରୀରକୁ ଫୂର୍ତ୍ତି ଲାଗିବା ସହ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ। ଦହି ସରବତ- ଖରାଦିନେ ବିଭିନ୍ନ କାରଣରୁ ପେଟ ଗରମ ହୋଇଯାଏ। ଯଦି ଏହିଦିନେ ଦହି ସରବତ ପିଆଯାଏ, ତା’ହେଲେ ପେଟ ଥଣ୍ଡା ରହିବା ସହ ଶରୀରକୁ ତାଜାପଣ ମିଳିଥାଏ। ଫ୍ରୁଟ୍‌ ଜୁସ୍‌- ଖରାଦିନେ ଫ୍ରୁଟ୍‌ ଜୁସ୍‌ ପିଇବା ମଧ୍ୟ ଶରୀର ପକ୍ଷେ ଖୁବ୍‌ ଉପକାରୀ ହୋଇଥାଏ। ପ୍ରଚୁର ଗରମରେ ଦେହରୁ ଝାଳ ବୋହିବା ଯୋଗୁ ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଇଥାଏ। ଫଳରେ ଥକ୍କାପଣ ଅନୁଭବ ହୁଏ। ଏଥିପାଇଁ ଖରାଦିନେ ମିଳୁଥିବା ବିଭିନ୍ନ ଫଳମୂଳରେ ତିଆରି ଫ୍ରୁଟ୍‌ ଜୁସ୍‌ ପିଇଲେ ଶରୀରକୁ ଶକ୍ତି ମିଳିବା ସହ ଫୁର୍ତ୍ତି ମଧ୍ୟ ଲାଗିଥାଏ।